ସ୍ୱାମୀ-ସ୍ତ୍ରୀ ବିବାଦରେ ଫସିଯାଉଛନ୍ତି ପୁଅର ପୁରୁଷ ସମ୍ପର୍କୀୟ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ବିବାଦରେ ଅଯଥାରେ ଫସିଯାଉଛନ୍ତି ପୁଅର ପୁରୁଷ ସମ୍ପର୍କୀୟ, କିଛି ଏଭଳି କଥା କହିଛନ୍ତି ଦିଲ୍ଲୀ ହାଇକୋର୍ଟ | ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ବିବାହ ବିବାଦରେ ସ୍ୱାମୀଙ୍କ ପରିବାରର ସମ୍ପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରାଯିବା ଅତ୍ୟନ୍ତ ଦୁଃଖଦାୟକ | ସଦ୍ୟତମ ମାମଲାରେ ଜଣେ ମହିଳା ବୈବାହିକ ବିବାଦ ହେତୁ ତାଙ୍କ ଶ୍ୱଶୁରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିବା ପ୍ରସଙ୍ଗରେ କୋର୍ଟ ଏହି କଥା କହିଛନ୍ତି । ମିଳିଥିବା ସୂଚନା ମୁତାବକ ଏକ ବୈବାହିକ ବିବାଦ ପରେ ଦାଖଲ କରାଯାଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ହୋଇଥିବା ଯାଚିକା ଉପରେ ଶୁଣାଣି କରି ବିଚାରପତି ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ଯେ ସ୍ୱାମୀଙ୍କ ଉପରେ ଚାପ ପକାଇବା ପାଇଁ ଶ୍ୱଶୁର, ଦିଅର ବା ଅନ୍ୟ ପୁରୁଷ ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରାଯାଇଥାଏ |

କୋର୍ଟ ଏଥିପାଇଁ ଚିନ୍ତିତ ଯେ ଶ୍ୱଶୁର, ଦିଅର ବା ଅନ୍ୟ ପୁରୁଷ ସଦସ୍ୟଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଅନୁଯାୟୀ ଅପରାଧର ଅଭିଯୋଗ କରାଯାଉଛି | ଆଉ ଏଭଳି ଘଟଣା ଦିନକୁ ଦିନ ବଢ଼ୁଥିବାର ଦେଖିବାକୁ ମିଳିଛି | କେବଳ ସ୍ୱାମୀଙ୍କ ପରିବାର ଉପରେ ଚାପ ପକାଇବା ପାଇଁ ଏହା କରାଯାଇଛି ବୋଲି କୋର୍ଟ କହିଛନ୍ତି। ବର୍ତ୍ତମାନ ମାମଲାରେ ବୈବାହିକ ବିବାଦ ହେତୁ ପତ୍ନୀ ତାଙ୍କ ଶ୍ୱଶୁରଙ୍କ ନାମରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ଯେତେବେଳେ ସ୍ୱାମୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ଏଫ୍ଆଇଆର୍ ବନ୍ଦ କରିବାକୁ ଆବେଦନ ଶୁଣାଣି ହୋଇଥିଲା, ସେତେବେଳେ ମହିଳା ଜଣକ କୋର୍ଟକୁ କହିଥିଲେ ଯେ ସେ ଏହି ମାମଲାକୁ ଆଉ ଆଗକୁ ନେବାକୁ ଚାହୁଁନାହାଁନ୍ତି।

ବିଚାରପତି କହିଛନ୍ତି ଯେ ଯଦିଓ ଶ୍ୱଶୁରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି, ତଥାପି ଉଭୟ ସ୍ୱାମୀ ଓ ସ୍ତ୍ରୀ ଵୁଝାମଣା କରିବାକୁ ରାଜି ହୋଇଯାଇଛନ୍ତି | ପତ୍ନୀଙ୍କୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସ୍ୱାମୀ ରାଜି ହୋଇଥିବାବେଳେ ସମସ୍ତ ବିବାଦ ଦିଲ୍ଲୀ ହାଇକୋର୍ଟର ସମନ୍ୱୟ କେନ୍ଦ୍ରରେ ସମାଧାନ ହୋଇଯିବ |

ସମ୍ବନ୍ଧିତ ଖବର