ନୂଆଦିଲ୍ଲୀ : ଦିଲ୍ଲୀର ହିଟ୍‌ ଆଣ୍ଡ୍ ରନ୍ ମାମଲାରେ ଗିରଫ ଅଭିଯୁକ୍ତ ପୁଲିସ ଆଗରେ ସ୍ବୀକାର କରିଛି ଯେ ତାଙ୍କ କାର୍ ତଳେ ଜଣେ ମହିଳା ଲାଖି ରହିଥିବା ଜାଣି ମଧ୍ୟ ସେ ଗାଡ଼ି ଅଟକାଇ ନ ଥିଲା। କାରଣ ଗାଡ଼ି ଅଟକାଇଲେ ହତ୍ୟା ମାମଲାରେ ପୁଲିସ ତାକୁ ଗିରଫ କରିବ ଭାବି ସେ ଡରିଯାଇଥିଲା।

Advertisment

ସଚନାଯୋଗ୍ୟ, ଡିସେମ୍ବର ୩୧ ରାତିରେ ସୁଲତାନପୁରୀ ଆଡ଼ୁ ଦ୍ରୁତଗତିରେ ଆସୁଥିବା ଏକ କାର୍ କାଞ୍ଝାୱାଲାଠାରେ ସ୍କୁଟିରେ ଯାଉଥିବା ଜଣେ ୨୦ ବର୍ଷୀୟା ମହିଳା (ଅଞ୍ଜଳି)ଙ୍କ ଉପରେ ଚଢ଼ିଯାଇଥିଲା। ମହିଳା ଜଣକ କାର୍ ତଳେ ଲାଖି ରହିଥିବା ଜାଣି ମଧ୍ୟ ଚାଳକ ଗାଡ଼ି ନ ଅଟକାଇ ମହିଳାଙ୍କୁ ଚକା ତଳେ ଲାଖିଥିବା ଅବସ୍ଥାରେ ପ୍ରାୟ ୧୨ କିଲୋମିଟର ଘୋଷାରି ନେଇଯାଇଥିଲା। ପୁଲିସର କହିବା ଅନୁସାରେ ଗିରଫ ହେବା ଭୟରେ ଚାଳକ ଗାଡ଼ି ଅଟକାଇ ନ ଥିଲା ଏବଂ ମହିଳାଙ୍କ ଶରୀର ଗାଡ଼ିତଳୁ ଖସିବା ପର୍ଯ୍ୟନ୍ତ ଗାଡ଼ି ଚଳାଇଥିଲା। ତା’ ଭିତରେ ସେ ଅନେକଥର ୟୁଟର୍ଣ୍ଣ ମାରିଥିଲା ଏବଂ ମହିଳାଙ୍କ ଶରୀର ଖସିପଡ଼ିବା ପରେ ଦ୍ରୁତଗତିରେ ସ୍ଥାନ ଛାଡ଼ି ପଳାଇଥିଲା।

ଏବେ ଅଭିଯୁକ୍ତ ସ୍ବୀକାର କରିଛି ଯେ ଭୟରେ ସେ ଏହା କରିଥିଲେ ମଧ୍ୟ ଏହା ଭୁଲ୍ ଥିଲା। ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୭ ଜଣ ଲୋକଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଦୀପକ ଖାନ୍ନା, ମନୋଜ ମିତ୍ତଲ, ଅମିତ ଖାନ୍ନା, କ୍ରିଷନ, ମିଥୁନ, ଆଶୁତୋଷ (ଗାଡ଼ି ମାଲିକ) ଓ ଅଙ୍କୁଶ। ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼େଇବା ପାଇଁ ଚେଷ୍ଟା କରିବା ଅଭିଯୋଗରେ ଆଶୁତୋଷ ଓ ଅଙ୍କୁଶଙ୍କୁ ଗିରଫ କରାଯାଇଛି।