ଦିଲ୍ଲୀ ଆଇଆଇଟିରେ ଚାକିରି ବର୍ଷା, ଦେଶ-ବିଦେଶରୁ ଛାତ୍ରଛାତ୍ରୀଙ୍କୁ ମିଳିଲା ୭୫୦ରୁ ଅଧିକ ଅଫର

ନୂଆଦିଲ୍ଲୀ: ଦେଶରେ ଯୁବପିଢ଼ିଙ୍କ ପାଇଁ ଚାକିରି ସମସ୍ୟା ଏବେ ଜଟିଳ ରୂପ ଧାରଣ କରିଥିବା ବେଳେ ଦିଲ୍ଲୀ ଆଇଆଇଟିରେ କିନ୍ତୁ ଏହାର ସମ୍ପୂର୍ଣ୍ଣ ବିପରୀତ ଅବସ୍ଥା ଦେଖିବାକୁ ମିଳିଛି | କାରଣ ଏଠାକାର ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଚାକିରିର ସୁଅ ଛୁଟିବାରେ ଲାଗିଛି | ଆଇଆଇଟି ଦିଲ୍ଲୀରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ପ୍ଲେସମେଣ୍ଟର ପ୍ରଥମ ୫ ଦିନରେ ଛାତ୍ରଛାତ୍ରୀଙ୍କୁ ୭୦୦ରୁ ଅଧିକ ଚାକିରି ଅଫର ମିଳିଛି | ପାଞ୍ଚ ଦିନରେ ଏହି ପ୍ଲେସମେଣ୍ଟରେ ସ୍ନାତକ, ସ୍ନାତକୋତ୍ତର ଓ ପିଏଚଡି ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେବା ପାଇଁ ଦେଶବିଦେଶର ବହୁ ଖ୍ୟାତନାମା କମ୍ପାନୀ ଏହି କ୍ୟାମ୍ପସକୁ ଆସିଛନ୍ତି |

Photo-The Hindu

ମିଳିଥିବା ସୂଚନା ମୁତାବକ ସମୁଦାୟ ୭୮୨ଟି ଚାକିରିର ପ୍ରସ୍ତାବ ମିଳିଥିବାବେଳେ ଦେଶ ଭିତରୁ ୭୬୭ଟି ଚାକିରି ଅଫର ମିଳିଥିବାବେଳେ ଅନ୍ତର୍ଜାତୀୟ ସ୍ତରର କମ୍ପାନୀ ମାନେ ୧୫ଟି ଚାକିରି ଅଫର ଦେଇଛନ୍ତି |

ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ରାମ ଗୋପାଳ ରାଓ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ ଭରପୂର ସୁଯୋଗ ହିଁ ଛାତ୍ରଛାତ୍ରୀଙ୍କୁ ସଫଳ କରାଇପାରୁଛି | ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ନିଜ କମ୍ପାନୀରେ ଚାକିରି ଦେବାପାଇଁ କମ୍ପାନୀମାନେ ଭିଡ ଜମାଉଛନ୍ତି | ଏହି ଶିକ୍ଷାନୁଷ୍ଠାନ ନିଯୁକ୍ତିଦାତାଙ୍କ ପ୍ରଥମ ପସନ୍ଦ ପାଲଟିଛି | ଏଠାରେ ସୂଚନା ଥାଉ କି ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ମେ ୨୦୨୦ ଯାଏଁ ଚାଲିବ |

ସମ୍ବନ୍ଧିତ ଖବର