ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ଲହରି ଜାରି ରହିଛି। ପାହାଡ଼ି ଅଞ୍ଚଳଠାରୁ ଦିଲ୍ଲୀରେ ଆହୁରି ଅଧିକ ଥଣ୍ଡା ହେଉଛି। ନୈନିତାଲଠାରୁ ଆଜି ଦିଲ୍ଲୀରେ ଅଧିକ ଶୀତ ହେଉଛି। ଦିଲ୍ଲୀର ଆୟାନଗରରେ ଆଜି ସର୍ବନିମ୍ନ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଘନ କୁହୁଡ଼ି ଯୋଗୁଁ ପାଲାମ ଏବଂ ସଫଦରଜଙ୍ଗ ବିମାନ ବନ୍ଦର ନିକଟରେ ସକାଳ ୮.୩୦ ସମୟରେ କେବଳ ୫୦ ମିଟର ମଧ୍ୟରେ ଦୃଶ୍ୟମାନ ହେଉଥିଲା। ତଥ୍ୟ ଅନୁଯାୟୀ ଦିଲ୍ଲୀର ସଫଦରଜଙ୍ଗରେ ଆଜି ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ସେଲସିୟସ ଥିଲା।
ଅନ୍ୟପକ୍ଷେ ନୈନିତାଲ ତାପମାତ୍ରା ଆଜି ସକାଳେ ୭.୨ ଡିଗ୍ରି ରହିଛି। ଆଇଏମ୍ଡି ଅନୁଯାୟୀ ଦିଲ୍ଲୀ ଏବଂ ଉତ୍ତର ଭାରତର ଅନ୍ୟ ସ୍ଥାନମାନଙ୍କରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରି ଜାରି ରହିବ। ପଂଜାବ, ହରିୟାଣା, ଉତ୍ତରପ୍ରେଶ, ରାଜସ୍ଥାନ, ଚଣ୍ଡିଗଡ଼ରେ ମଧ୍ୟ ଆଇଏମ୍ଡି ପକ୍ଷରୁ ସମାନ ସତର୍କ ସୂଚନା ଜାରି ରହିଛି। ଉତ୍ତର ରାଜସ୍ଥାନରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବ। ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନର ଚୁରୁରେ ଆଜି ତାପମାତ୍ରା ୦.୫ ଡିଗ୍ରୀ ରହିଛି। ଗତକାଲି ଚୁରୁ ତାପମାତ୍ରା ଶୂନ ଥିଲା। ପ୍ରବଳ ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ଟ୍ରେନ୍ ଏବଂ ବିମାନ ଯାତ୍ରା ପ୍ରଭାବିତ ହୋଇଛି।