ଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ: ବିଶ୍ବର ୩୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୨ ସହର

ନୂଆଦିଲ୍ଲୀ: ଲଗାତାର ତୃତୀୟ ବର୍ଷ ପାଇଁ ୨୦୨୦ ମସିହାରେ ନୂଆଦିଲ୍ଲୀ ବିଶ୍ବର ସବୁଠୁ ଅଧିକ ପ୍ରଦୂଷିତ ରାଜଧାନୀ ହେବାର ଅପକୀର୍ତ୍ତି ମୁଣ୍ଡାଇଛି। ବିଶ୍ବ ବାୟୁମଣ୍ଡଳର ଗୁଣାତ୍ମକ ମାନ ଅନୁଧ୍ୟାନ କରୁଥିବା ସ୍ବିଜରଲାଣ୍ଡର ‘ଆଇକ୍ୟୁଏୟାର’ ନାମକ ସଂସ୍ଥାର ସଦ୍ୟ ଅନୁଧ୍ୟାନ ଭାରତର ରାଜଧାନୀ ପଛରେ ଏଭଳି ବିରଳ ଉପମା ଯୋଡ଼ିଦେଇଛି। ପ୍ରାୟ ୧୦୬ଟି ଦେଶର ତଥ୍ୟକୁ ସାମିଲ କରିଥିବା ‘ଆଇକ୍ୟୁଏୟାର’ର ସର୍ବେକ୍ଷଣ ଅନୁଯାୟୀ, ବିଶ୍ବର ସର୍ବାଧିକ ପ୍ରଦୂଷିତ ୫୦ଟି ସହର ମଧ୍ୟରୁ ଭାରତରେ ହିଁ ୩୫ଟି ରହିଛି। ୩୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୨ଟି ସହର ରହିଛି।

ବାୟୁମଣ୍ଡଳରେ ପିଏମ୍‌୨.୫ କଣିକା(ଯାହାର ବ୍ୟାସ ୨.୫ ମାଇକ୍ରୋମିଟର ଠାରୁ କମ୍‌)ର ବାର୍ଷିକ ଉପସ୍ଥିତିକୁ ତର୍ଜମା କରି ଏପରି ଆକଳନ କରାଯାଇଛି। ଗତବର୍ଷ ମହାମାରୀ କୋଭିଡ୍‌ ଜନିତ ଲକ୍‌ଡାଉନ୍‌ ଭଳି ସ୍ଥିତି ଯୋଗୁଁ ଦେଶର ବାୟୁମଣ୍ଡଳରେ ବାର୍ଷିକ ହାରାହାରି ପିଏମ୍‌୨.୫ ପରିମାଣ ୧୧ ପ୍ରତିଶତ କମ୍‌ ରହିବା ସତ୍ତ୍ବେ ଭାରତ ବିଶ୍ବର ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ ହେବାର ମାନ୍ୟତା ଲାଭ କରିଛି। ଏହି ତାଲିକାର ପ୍ରଥମ ଓ ଦ୍ବିତୀୟରେ ଯଥାକ୍ରମେ ବାଂଲାଦେଶ ଓ ପାକିସ୍ତାନ ରହିଛନ୍ତି। ୨୦୨୦ ମସିହାରେ ଦିଲ୍ଲୀ ବାୟୁମଣ୍ଡଳରେ ଘନମିଟର ପିଛା ହାରାହାରି ୮୪.୧ ସଂଖ୍ୟକ ପିଏମ୍‌୨.୫ କଣିକା ରହିଥିଲା ଯାହା କି ସର୍ବାଧିକ ପ୍ରଦୂଷିତ ସହର ତାଲିକାର ୧୪ତମ ସ୍ଥାନରେ ଥିବା ଚୀନ୍‌ ରାଜଧାନୀ ବେଜିଂ ବାୟୁମଣ୍ଡଳରେ ଥିବା ପିଏମ୍‌୨.୫ କଣିକା(୩୭.୫)ର ଦୁଇଗୁଣରୁ ଅଧିକ। ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ପିଏମ୍‌୨.୫ କଣିକା ସଂସ୍ପର୍ଶରେ ଆସିଲେ କର୍କଟ ଓ ହୃଦଘାତ ପରି ଘାତକ ରୋଗର ଶିକାର ହେବାର ଆଶଙ୍କା ରହିଛି। ଏହି ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ୨୦୨୦ ମସିହାରେ ୫୪,୦୦୦ ଅକାଳ ମୃତ୍ୟୁ ଘଟିଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାଯାଇଛି। ସ୍ମରଣଯୋଗ୍ୟ, ପଡ଼ୋଶୀ ରାଜ୍ୟ ପଞ୍ଜାବରେ ଶସ୍ୟକ୍ଷେତରେ କୁଟାକାଠି ଦହନ ଯୋଗୁଁ ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀ ବାୟୁମଣ୍ଡଳରେ ଘନମିଟର ପିଛା ୧୪୪ ମାଇକୋଗ୍ରାମ୍‌ ପିଏମ୍‌ କଣିକା ରହିଥିବା ବେଳେ ତାହା ଡିସେମ୍ବରକୁ ବଢ଼ି ୧୫୭ ମାଇକ୍ରୋଗ୍ରାମ୍‌ ହୋଇଥିଲା ଯାହା କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ନିରାପଦ ପରିମାଣର ପ୍ରାୟ ୧୪ ଗୁଣରୁ ଅଧିକ ବୋଲି ଏହି ସର୍ବେକ୍ଷଣରୁ ଜଣାଯାଇଛି।

ସମ୍ବନ୍ଧିତ ଖବର