ଦିଲ୍ଲୀ ଦେଶର ତୃତୀୟ ସର୍ବାଧିକ ଦୂଷିତ ସହର

ନୂଆଦିଲ୍ଲୀ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ସର୍ବାଧିକ ଦୂଷିତ ସହର ତାଲିକାର ୩ ନମ୍ବ‌ରରେ ଦିଲ୍ଲୀ ରହିଛି। ଏଭଳି ରିପୋର୍ଟକୁ ନେଇ ଦିଲ୍ଲୀବାସୀ ଚିନ୍ତାବ୍ୟକ୍ତ କରିଛନ୍ତି। ଅଦ୍ୟାବଧି ଦେଶର ୧୧୨ଟି ଦୂଷିତ ଏବଂ ବିପଜ୍ଜନକ ସହର ଚିହ୍ନଟ ହୋଇ ସାରିଥିବାବେଳେ ଆଉ ୧୬୮ଟି ସହରର ସ୍ଥିତି ଆକଳନ କରାଯିବା ପରେ ତଥ୍ୟ ମିଳିପାରିବ ବୋଲି ସିପିସିବି ପକ୍ଷରୁ କୁହାଯାଇଛି। ଦିଲ୍ଲୀର ୧୧ଟି ଅଞ୍ଚଳ ଅତ୍ୟନ୍ତ ବିପଦପୂର୍ଣ୍ଣ। ସେଥିମଧ୍ୟରେ ଭାଲସ୍ବା, ଗାଜିପୁର, ଝିଲିମିଲି ଶିଳ୍ପାଞ୍ଚଳ, ୱାଗିପୁର, ନିଉ ଫ୍ରେଣ୍ଡସ୍‌ କଲୋନୀ, ଦିଲଶାଦ ଗାର୍ଡେନ୍‌, ଲରେନ୍ସ ରୋଡ଼୍‌ ଅନ୍ୟତମ। ଏହାଛଡ଼ା ଆଉ ୧୨ଟି ଅଂଚଳରେ ମଧ୍ୟ ପ୍ରଦୂଷଣ ଉଦ୍‌ବେଗଜନକ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଦିଲ୍ଲୀର ବିଷାକ୍ତ ଜଳବାୟୁ ପାଇଁ ମନୁଷ୍ୟକୃତ ପ୍ରଦୂଷଣ ଦାୟୀ। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହାର ପ୍ରଭାବ ମନୁଷ୍ୟର ସ୍ବାସ୍ଥ୍ୟ ପ୍ରତି ବିପଦ। ସହରର ଶିଳ୍ପାଞ୍ଚଳ, ଡମ୍ପିଂୟାର୍ଡ, ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ଖଣିଖାଦାନ, କେମିକାଲ୍ସ ପ୍ରସ୍ତୁତ ହେଉଥିବା ଅଞ୍ଚଳ ଏବଂ ନିମ୍ନାଞ୍ଚଳ ପ୍ରଦୂଷଣର କେନ୍ଦ୍ର ସାଜିଛନ୍ତି। ପରିବେଶ ଓ ପ୍ରଦୂଷଣଜନିତ ସମସ୍ୟାର ସମାଧାନ ପାଇଁ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ କେତେକ ଅଞ୍ଚଳରେ ବିଭିନ୍ନ ପ୍ରତିଷେଧମୂଳକ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର