ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଗତ ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ରାତି ପ୍ରାୟ ୧୨ଟା ସମୟରେ ଜହାଙ୍ଗୀରପୁରୀ ଅଞ୍ଚଳସ୍ଥ ରାସ୍ତାରେ ଭୟାବହ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପିସିଆର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ତିନିଜଣ ମୃତକଙ୍କୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଜବତ କରି ଯାଞ୍ଚ କରୁଛି। ମୃତକଙ୍କ ପରିଚୟ ସାହିଦ (୬୦ବର୍ଷ), ସାହିଦଙ୍କ ପୁଅ ଫୈଜ (୨୮ବର୍ଷ) ଓ ନାତି ହମଜା (୧୨ବର୍ଷ) ଥିବା ଜଣାପଡ଼ିଛି।
ସ୍ଥାନୀୟଲୋକଙ୍କ କହିବାନୁସାରେ, ବାପା, ପୁଅ ଓ ନାତି ବାଇକରେ ବସି ଯାଉଥିବା ବେଳେ ହଠାତ ସେମାନଙ୍କ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ଗାଡ଼ି ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଧକ୍କା ଦେଇଥିବା ଗାଡ଼ିର ବେଗ ଏତେ କ୍ଷୀପ୍ର ଥିଲା ଯେ ଗାଡ଼ି ନମ୍ବର ବି ଠିକ ଭାବେ ଦୃଶ୍ୟମାନ ହୋଇ ନଥିଲା। କେହି କିଛି ବୁଝିବା ପୂର୍ବରୁ ଧକ୍କା ମାରିଥିବା ଗାଡ଼ି ଚାଳକ ଘଟଣାସ୍ଥଳରୁ ଆଖି ପିଛୁଳାକେ ଚମ୍ପଟ ମାରିଥିଲା। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଏକାସାଙ୍ଗରେ ବାପ, ପୁଅ ଓ ନାତିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଗୋଟିଏ ପରିବାରର ତିନିପିଢ଼ିଙ୍କ ଏକାଠି ମୃତ୍ୟୁ ହେବା ଘଟଣାକୁ ନେଇ ସ୍ଥାନୀୟଲୋକଙ୍କ ସମେତ ମୃତକଙ୍କ ପରିବାର କହୁଛନ୍ତି, ‘ଏ ଦଇଦ ତୁ ଏତେ ନିଷ୍ଠୁର କେମିତି ହେଲୁରେ...।’