ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଯାଇପାରିବେ ନାହିଁ। ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ସିଙ୍ଗାପୁର ଯାତ୍ରା ପାଇଁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଅଗଷ୍ଟ ୧ରେ ସିଙ୍ଗାପୁରରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଅରବିନ୍ଦ କେଜ୍ରିୱାଲ ଯିବାକୁ ଚାହୁଁଥିଲେ। ଆଉ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କଠାରୁ ଏହାର ଅନୁମୋଦନ ଲୋଡିଥିଲେ ଓ ଏହି ଫାଇଲଟି ଦୀର୍ଘ ସମୟ ଧରି ବିଚାରାଧୀନ ଥିଲା। ତେବେ ଏହାକୁ ଉପ ରାଜ୍ୟପାଳ ଖାରଜ କରି କହିଛନ୍ତି ଯେ ସିଙ୍ଗାପୁର ସମ୍ମିଳନୀରେ ମେୟର ମାନେ ଯୋଗ ଦେବେ |
ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର କୌଣସି ଯଥାର୍ଥତା ନାହିଁ। ସୂଚନା ଥାଉ କି ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସିଙ୍ଗାପୁର ଯିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ ସିଙ୍ଗାପୁର ସରକାର ଏକ ବିଶ୍ୱ ସ୍ତରୀୟ ସମ୍ମିଳନୀରେ ଦିଲ୍ଲୀ ମଡେଲକୁ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରିଛନ୍ତି ଏବଂ ଦିଲ୍ଲୀ ମଡେଲକୁ ବିଶ୍ବର ବହୁ ବଡ ନେତାଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ଆଜି ସମଗ୍ର ବିଶ୍ୱ ଦିଲ୍ଲୀ ମଡେଲ ବିଷୟରେ ଜାଣିବାକୁ ଚାହୁଁଛି। ଏହି ନିମନ୍ତ୍ରଣ ଦେଶ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ। ଜଣେ ମୁଖ୍ୟମନ୍ତ୍ରୀକୁ ଏଭଳି ଗୁରୁତ୍ୱପୂର୍ଣ୍ଣ ମଞ୍ଚକୁ ଯିବା ପାଇଁ ରୋକିବା ଦେଶର ସ୍ୱାର୍ଥ ବିରୁଦ୍ଧ ଅଟେ। ଯଥାଶୀଘ୍ର ମୋତେ ଅନୁମତି ଦିଅନ୍ତୁ ଯାହା ଦ୍ବାରା ମୁଁ ଏହି ଯାତ୍ରା ସହିତ ଦେଶର ନାଁକୁ ଆଗକୁ ନେଇପାରିବି। ସୂଚନା ଅନୁସାରେ, 'ପ୍ରୋଟୋକଲ୍' ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀଙ୍କୁ ସରକାରୀ ବିଦେଶ ଯାତ୍ରା ପାଇଁ ଗୃହ ମନ୍ତ୍ରାଳୟର ଅନୁମତି ନେବାକୁ ପଡେ ଏବଂ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଜରିଆରେ ଅନୁମୋଦନ ପାଇଁ ଫାଇଲ ଗୃହ ମନ୍ତ୍ରାଳୟକୁ ପଠାଯାଏ।
ଜୁନରେ ସିଙ୍ଗାପୁରର ହାଇ କମିଶନର ସାଇମନ୍ ୱଙ୍ଗ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ସିଙ୍ଗାପୁରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଗ୍ରହଣ କରିଥିଲେ। ଏହା ପରେ ବିଦେଶ ଯାତ୍ରା ନେଇ ମଞ୍ଜୁରୀ ପାଇଁ ଆପ୍ ସରକାର ଉପରାଜ୍ୟପାଳଙ୍କ ନିକଟକୁ ଫାଇଲ ପଠାଇଥିଲେ ବି ଆଜି ଖାରଜ ହୋଇଯାଇଛି | ଏହି ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଉପରାଜ୍ୟପାଳ ଦେଇଥିବା କାରଣ ସହ ସେ ସହମତ ନୁହଁନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ବ୍ୟକ୍ତିଗତ ନିମନ୍ତ୍ରଣ | ସେ କହିଛନ୍ତି ଯେ ସିଙ୍ଗାପୁର ଯିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୈଦେଶିକ ମନ୍ତ୍ରଣାଳୟକୁ ସିଧାସଳଖ ଆବେଦନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/vvvv-1.jpg)