ଉତ୍ତରପ୍ରଦେଶରେ ଦିଲ୍ଲୀ ଭଳି ହତ୍ୟାକାଣ୍ଡ, ପତ୍ନୀଙ୍କୁ ଖଣ୍ଡଖଣ୍ଡ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଉତ୍ତରପ୍ରଦେଶର ସୀତାପୁରରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ପଙ୍କଜ ମୌର୍ଯ୍ୟ ନାମକ ଜଣେ ବ୍ୟକ୍ତି ତା’ ପତ୍ନୀ ଜ୍ୟୋତି ଓରଫ ସ୍ନେହାଙ୍କୁ ହତ୍ୟା କରିଥିବା ଏବଂ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି କାଟିଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି। ସୀତାପୁର ପୁଲିସ ନଭେମ୍ବର ୮ ତାରିଖରେ ଗୁଲେରିଆ ଅଞ୍ଚଳରେ ଜ୍ୟୋତିଙ୍କ ମର ଶରୀର ପାଇବାପରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପ୍ରକ୍ରିୟାରେ ପୁଲିସ ଜ୍ୟୋତିଙ୍କ ସ୍ବାମୀ ପଙ୍କଜ ମୌର୍ଯ୍ୟ ଏବଂ ତା’ ସହଯୋଗୀ ଦୁର୍ଜଦ ପାସିକୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ପଙ୍କଜ ମୌର୍ଯ୍ୟ ପୁଲିସକୁ କହିଥିଲା ଯେ ତା’ ପତ୍ନୀ ନିଶାସକ୍ତ ଏବଂ ସେ ସବୁବେଳେ ଅନ୍ୟ ଜଣଙ୍କ ଘରେ ରହୁଥିଲା। ଏହି କାରଣ ପାଇଁ ସେମାନଙ୍କ ସମ୍ପର୍କ ଭଲ ନଥିଲା। ଜ୍ୟୋତି ତା’ ସହ ଛଳନା କରୁଥିବା ସନ୍ଦେହ କରିବାପ‌ରେ ପଙ୍କଜ ତାଙ୍କୁ ହତ୍ୟା କରିବାପାଇଁ ଯୋଜନା କରିଥିଲା। ପଙ୍କଜ ଜ୍ୟୋତିଙ୍କୁ ହତ୍ୟା କରିବାପରେ ଶବ ନଷ୍ଟ କରିବାକୁ ଖଣ୍ଡଖଣ୍ଡ କରି କାଟିଦେଇଥିବା ବୋଲି ପୁଲିସକୁ କହିଛି। ପଙ୍କଜ ଏବଂ ଜ୍ୟୋତି ୧୦ ବର୍ଷ ତଳେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର