ନୂଆଦିଲ୍ଲୀ : ଦୁଇଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିବା ପରେ ସମ୍ପୂର୍ଣ୍ଣ ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ମିଛ ବୋଲି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଲାଞ୍ଚ ବା କିକ୍ବ୍ୟାକ୍ ବାବଦରେ କୌଣସି ନଗଦ ଅର୍ଥ ପଇଠ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରମାଣ ଦେଇ ନ ପାରିବାରୁ କୋର୍ଟ ଦୁଇଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ରାଉଜ ଆଭେନ୍ୟୁ କୋର୍ଟ ରାଜେଶ ଯୋଶୀ ଓ ଗୌତମ ମାଲହୋତ୍ରାଙ୍କୁ ଜାମିନ ପ୍ରଦାନ କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରିଛନ୍ତି - କୋର୍ଟ ମଧ୍ୟ ଏହି ଧାରଣା ପୋଷଣ କରିବାକୁ ଆରମ୍ଭ କରିଛନ୍ତି ଯେ ସମ୍ପୂର୍ଣ୍ଣ ମଦ ଦୁର୍ନୀତି ଅଭିଯୋଗ ମିଛ ଓ କପୋଳକଳ୍ପିତ। ଆମେ ଏହା ଆରମ୍ଭରୁ କହୁଥିଲୁ। ବର୍ତ୍ତମାନ କୋର୍ଟ ସେଇଆ କହିବାକୁ ଆରମ୍ଭ କରିଛନ୍ତି। ଆପ୍ ପରି ସଚ୍ଚୋଟ ଦଳକୁ କଳଙ୍କିତ କରିବା ପାଇଁ ଏହା ହତାଶ ବିଜେପିର ଚକ୍ରାନ୍ତ ବୋଲି ସେ କହିଛନ୍ତି। ସ୍ବତନ୍ତ୍ର ଜଜ୍ ଏମ୍କେ ନାଗପାଲ ଜାମିନ ମଞ୍ଜୁର କରିବା ସମୟରେ କହିଥିଲେ ଯେ, ତଦନ୍ତ ସମୟରେ ଇଡି ପକ୍ଷରୁ ଯେଉଁ ମୌଖିକ ଓ ଦଲିଲୀୟ ତଥ୍ୟ ଉପସ୍ଥାପିତ କରାଯାଇଛି ତାହା ଯଥେଷ୍ଟ ନୁହେଁ, ଯେଉଁଥିରୁ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରାଯାଇପାରିବ। ଏହାପରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ। ଏହାପରେ ଆପ୍ର ଅତିସୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ବିଷୟରେ ସୂଚନା ଦେବା ସହ ମଦ ଦୁର୍ନୀତି ମିଛ ବୋଲି କହିଥିଲେ।
ଏହାପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଆପ୍ କୋର୍ଟଙ୍କ ରାୟର ଅପବ୍ୟାଖ୍ୟା କରୁଛି। ଏହା ବିରୋଧରେ ଏକ ଅବମାନନା (କଣ୍ଟେମ୍ପ୍ଟ) ମାମଲା ରୁଜୁ କରିବାକୁ ବିଜେପି ଦାବି କରିଛି। ଆପ୍ ନେତାମାନେ ମିଛର ପ୍ରସାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେମାନେ କୋର୍ଟଙ୍କ ଜାମିନ ଆଦେଶକୁ କୋର୍ଟଙ୍କ ରାୟ ବୋଲି କହି ବିଭ୍ରାନ୍ତ କରୁଥିବା କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଜାମିନ ଦେବା ମାନେ ନୁହେଁ ଯେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଲେ ବା ଖଲାସ କରିଦେଲେ।