ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡି ରିପୋର୍ଟରେ କେସିଆର୍‌ଙ୍କ ଝିଅ କେ କବିତାଙ୍କ ନାମ

୧୦୦ କୋଟି ଲାଞ୍ଚ କାରବାର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତରଫରୁ କୋର୍ଟରେ ଦାଏର କରାଯାଇଥିବା ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ କବିତାଙ୍କର ନାଁ ରହିଛି। ବିବାଦୀୟ ଅବକାରୀ ନୀତିକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏହାକୁ ନେଇ ଯେଉଁ ଦୁର୍ନୀତି ଘଟିଛି ତାହା ଉପରେ ବର୍ତ୍ତମାନ ତଦନ୍ତ ଅବ୍ୟାହତ ରହିଛି। ଏଥିସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଅନେକ ଅଭିଯୁକ୍ତଙ୍କ ସହ କବିତାଙ୍କ ନାଁ ମଧ୍ୟ ରହିଛି। ଇଡି ତଦନ୍ତରୁ ଜାଣିପାରିଛି ଯେ, କେ କବିତା ହେଉଛନ୍ତି ‘ସାଉଥ୍ ଗ୍ୟାଙ୍ଗ୍’ର ଜଣେ ସଦସ୍ୟ ଯେଉଁମାନେ ମଦ ନୀତି ପ୍ରବର୍ତ୍ତନ ସମୟରେ ଆମ୍‌ ଆଦ୍‌ମୀ ପାର୍ଟି ସରକାରକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି।

ରିମାଣ୍ଡ ରିପୋର୍ଟ ଅନୁସାରେ ଏହି ମାମଲାରେ ଗିରଫ ହୋଇଥିବା ବିଜୟ ନାୟାର ‘ସାଉଥ୍ ଗ୍ରୁପ୍‌’ଠାରୁ ଆପ୍ ନେତାଙ୍କ ତରଫରୁ ୧୦୦ କୋଟି ଟଙ୍କାର ଲାଞ୍ଚ (କିକ୍‌ବ୍ୟାକ୍) ଗ୍ରହଣ କରିଥିଲେ। ବର୍ତ୍ତମାନ କେ କବିତା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଏକ ବିବୃତି ଜାରି କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ନେତାମାନଙ୍କ ଉପରେ ଦାଉ ସାଧିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଛନ୍ତି। ବିଜେପି ତେଲେଙ୍ଗାନାର ଟିଆର୍‌ଏସ୍ ସରକାରକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି। ପ୍ରଧାନମନ୍ତ୍ରୀ ଆମକୁ ଜେଲରେ ପୂରାଇ ପାରନ୍ତି, ତଥାପି ଆମେ ଲୋକଙ୍କ ପାଇଁ କାମ କରିବୁ ବୋଲି କବିତା କହିଛନ୍ତି।

ସମ୍ବନ୍ଧିତ ଖବର