ଦିଲ୍ଲୀ ଅବକାରୀ ନୀତି ଲାଗୁ ହୋଇଥିଲେ ମଦ କମ୍ପାନିମାନେ ୯୮୯ % ଲାଭ ପାଇଥାନ୍ତେ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ସଂପର୍କରେ କେତେକ ସାଂଘାତିକ କଥା ଜଣାପଡ଼ିଛି । ଏହି ନୀତିକୁ ଏପରିଭାବେ ପ୍ରସ୍ତୁତ କରାଯାଇଥିଲା ଯେ ସରକାର କମ ରାଜସ୍ବ ପାଇବେ, ଗ୍ରାହକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ମାତ୍ର ମଦ କମ୍ପାନିମାନେ ଅତ୍ୟଧିକ ଲାଭ ପାଇବେ ।

ମାମଲାର ତଦନ୍ତ କରୁଥିବା ସିବିଆଇ ଓ ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ନୀତି ଲାଗୁ ହୋଇଥିଲେ ମଦ କମ୍ପାନିମାନେ ପୂର୍ବାପେକ୍ଷା ପ୍ରାୟ ୯୮୯ ପ୍ରତିଶତ ଲାଭ ପାଇଥାନ୍ତେ । କିନ୍ତୁ ସରକାରଙ୍କ ରାଜସ୍ବ ପ୍ରଭାବିତ ହୋଇଥାନ୍ତା ଓ ଲୋକମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାନ୍ତା । ଉଦାହରଣସ୍ବରୂପ ଗୋଟିଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ୭୫୦ ମିଲିଲିଟର ବୋତଲର ଦାମ ପୂର୍ବରୁ ୫୩୦ ଟଙ୍କା ଥିବାବେଳେ ନୂଆ ନୀତି ଅନୁସାରେ ୫୬୦ ଟଙ୍କା ହେଉଛି । କିନ୍ତୁ ପୂର୍ବ ନୀତି ଅନୁସାରେ ଏଥିରୁ ରିଟେଲ ମାର୍ଜିନ ମାତ୍ର ୩୩ ଟଙ୍କା ଥିବାବେଳେ ନୂଆ ନୀତି ଅନୁସାରେ ତାହା ୩୬୩ ଟଙ୍କା ହେଉଥିଲା । ଅର୍ଥାତ ରିଟେଲ ମାର୍ଜିନରେ ୯୮୯.୩ ପ୍ରତିଶତ ଲାଭ ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଦ୍ବାରା ଏହି ଅବକାରୀ ନୀତି ଗତ ବର୍ଷ ନଭେମ୍ବର ୧୭ରେ ଆଗତ ହୋଇଥିଲା । ଏଥିରେ ଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସଂଦେହ ହେବା ପରେ ଉପ-ରାଜ୍ୟପାଳ ଭି.ଆର.ସାକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଗତ ଜୁଲାଇ ମାସରେ ଏହାକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରିନେଇଥିଲେ । ମାତ୍ର ସିବିଆଇର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ମନିଷ ସିସୋଦିଆ ।

 

ସମ୍ବନ୍ଧିତ ଖବର