ଦିଲ୍ଲୀ ମଦ ନୀତି ମାମଲା: ହାଇଦ୍ରାବାଦ ଔଷଧ କମ୍ପାନି ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଆର୍ଥିକ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ହାଇଦ୍ରାବାଦସ୍ଥିତ ଏକ ଔଷଧ କମ୍ପାନିର ମୁଖ୍ୟଙ୍କୁ ଗିରଫ କରିଛି।

ଗିରଫ ପଦସ୍ଥ ଅଧିକାରୀଜଣକ ହେଉଛନ୍ତି ‘ଅରବିନ୍ଦ ଫାର୍ମା’ର ନିର୍ଦେଶକ ଶରତ ରେଡ୍ଡୀ। ଦିଲ୍ଲୀ ମଦ ନୀତି ମାମଲାରେ ଗିରଫଦାରି ଘଟଣାରେ ସେ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି। ହାଇଦ୍ରାବାଦରେ ଥିବା ମଦ ପ୍ରସ୍ତୁତିକାରୀ ଏହି ଔଷଧ କମ୍ପାନି ଦିଲ୍ଲୀରେ ମଧ୍ୟ କେତୋଟି ଲାଇସେନ୍‌ସ୍‌ ପାଇଛି। ଏହାଛଡ଼ା, କେତେକ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ମଧ୍ୟ ଏହି କମ୍ପାନି ସମ୍ପୃକ୍ତ ଅଛି।

ଏହାଛଡ଼ା, ଏହି ମାମଲାରେ ସମ୍ପୃକ୍ତ ଥିବା ବିଜୟ ବାବୁ ନାମରେ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି।

ଆଗରୁ ତଦନ୍ତକାରୀ ଏଜେନ୍‌ସି (ଇଡି) ତାଙ୍କର ବାସଭବନ ଓ ପ୍ରତିଷ୍ଠାନ ତଲାସ କରିବା ସହିତ ତାଙ୍କୁ ଦୁଇଥର ଜେରା କରିଥିଲା।

Image Courtesy of The Financial Express

ଏହି ମାମଲାରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ‘ଇଣ୍ଡୋସ୍ପିରିଟ୍‌’ ନାମରେ ଗୋଟାଏ ମଦ ପ୍ରସ୍ତୁତିକାରି କମ୍ପାନିର ପରିଚାଳନା ନିର୍ଦେଶକ ସମୀର ମହାନ୍ଦ୍ରୁ।

ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଦିନେଶ ଅରୋରା ନାମରେ ଜଣେ ବ୍ୟକ୍ତି ସରକାରୀ ସାକ୍ଷୀ ହେବେ ବୋଲି ଅଦାଲତଙ୍କୁ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ଲାଗୁ କରାଯିବାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ହେବା ପରେ ଦିଲ୍ଲୀର ଉପରାଜ୍ୟପାଳ ‘ସିବିଆଇ’ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହା ବ୍ୟତିରେକେ, ଉପରାଜ୍ୟପାଳ ୧୧ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରିଥିଲେ। ଏହି ମାମଲାରେ ଆର୍ଥିକ ଦୁର୍ନୀତି ହୋଇଥିବା କଥା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର