ଦିଲ୍ଲୀ ଲକ୍‌ଡାଉନ୍‌: ୨୬ ତାରିଖ ଯାଏ କଟକଣା, ରାଜସ୍ଥାନରେ ୧୫ ଦିନ

ୟୁପିର ୫ ସହରରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ରାଜ୍ୟ ସରକାରଙ୍କ ନା

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ସଂକ୍ରମଣ ଏବଂ ମୃତ୍ୟୁ ଅତି ଭୟଙ୍କର ଭାବେ ବଢ଼ି ଚାଲିଛି। ଚିକିତ୍ସା ପାଇଁ ବେଡ୍‌ ଏବଂ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଆଦି ରାଜ୍ୟମାନଙ୍କରେ ଅତି ଭୟଙ୍କର ସ୍ଥିତି ଉପୁଜିଲାଣି। ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଏବେ ପୁଣି ଲକ୍‌ଡାଉନ୍‌ ଫେରିଛି। ଦିଲ୍ଲୀରେ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ଜଟିଳ ହେଉଛି। ଗୋଟିଏ ପଟେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଅନ୍ୟପକ୍ଷେ ବେଡ୍‌ ଓ ଅକ୍ସିଜେନ ଅଭାବ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀ ସରକାର ସେଥିପାଇଁ ଲକ୍‌ଡାଉନ୍‌ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ୧୦ଟାରୁ ୨୬ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଆଜି ଲକ୍‌ଡାଉନ୍ ଘୋଷଣା ପରେ ଦିଲ୍ଲୀର ପ୍ରବାସୀ ଶ୍ରମିକମାନେ ସେମାନଙ୍କ ରାଜ୍ୟମୁହଁା ହୋଇଛନ୍ତି। ଏଥିପାଇଁ ବସଷ୍ଟାଣ୍ଡ୍‌ ଓ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପଟେ ମଦ ଦୋକାନ ଆଗରେ ମଧ୍ୟ ଲୋକଙ୍କ ଲମ୍ବା ଲାଇନ ଦେଖାଯାଇଛି। କିନ୍ତୁ ଏହା ମିନି ଲକ୍‌ଡାଉନ୍‌ ହୋଇଥିବାରୁ କେଜ୍ରିୱାଲ୍‌ ପ୍ରବାସୀ ଶ୍ରମିକମାନଙ୍କୁ ଦିଲ୍ଲୀ ନଛାଡ଼ିବାକୁ ଅନୁରୋଧ କରିଛନ୍ତି।

ମୋହାଲି, ଚଣ୍ଡିଗଡ଼, ପଞ୍ଚକୁଲାରେ ଲକ୍‌ଡାଉନ୍‌
କେରଳ, ତାମିଲନାଡ଼ୁ, ବିହାରରେ ରାତ୍ରି କର୍ଫ୍ୟୁ

ରାଜସ୍ଥାନରେ ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ମଧ୍ୟ ୧୫ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିବ ବୋଲି ସରକାର କହିଛନ୍ତି। ଉତ୍ତରପ୍ରଦେଶରେ ମଧ୍ୟ ୫ଟି ସହରରେ ଲକ୍‌ଡାଉନ୍‌ ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ, କାନପୁର ଏବଂ ଗୋରଖପୁରରେ ଲକ୍‌ଡାଉନ୍‌ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହିସବୁ ସହରମାନଙ୍କରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ହେବ। ତେବେ ସଂଧ୍ୟାରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନାହିଁ ବୋଲି ଯୋଗୀ ସରକାର କହିଛନ୍ତି। ପଂଜାବର ମୋହାଲି, ଚଣ୍ଡିଗଡ଼ ଏବଂ ହରିୟାଣାର ପଞ୍ଚକୁଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ରାମନବମୀ ଅବସରରେ ଭିଡ଼ ସମ୍ଭାବନା ଥିବାରୁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। କେରଳରେ ମଧ୍ୟ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ। ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ କେରଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତାମିଲନାଡ଼ୁ ଏବଂ ବିହାରରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ତାମିଲନାଡ଼ୁରେ ଆସନ୍ତାକାଲିଠାରୁ ରାତି ୧୦ରୁ ଭୋର ୪ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ହେବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ମେ’ ୧୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି।

 

ସମ୍ବନ୍ଧିତ ଖବର