ନୂଆଦିଲ୍ଲୀ: ବଢ଼ିଲା ଅବଧି। ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ଏପ୍ରିଲ ୩ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ।
ଅବକାରୀ ଦୁର୍ନୀତି ମାମଲାରେ ଆଜି ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହୋଇଥିବା ବେଳେ ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ। ହାଜର କରି ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ବୋଲି କହି ସିବିଆଇ ଆହୁରି ୧୪ଦିନ ପାଇଁ ସିସୋଦିଆଙ୍କୁ ହେପାଜତକୁ ନେବା ପାଇଁ କୋର୍ଟରୁ ଅନୁମତି ମାଗିଥିଲା। ଏବେ କୋର୍ଟ ସିବିଆଇକୁ ଏପ୍ରିଲ ୩ପର୍ଯ୍ୟନ୍ତ ସିସୋଦିଆଙ୍କୁ ହେପାଜତକୁ ନେବା ପାଇଁ ଅନୁମତି ଦେଇଛନ୍ତି। ଏହା ସହ ଏପ୍ରିଲ ୩ରେ ଭର୍ଚୁଆଲି ହାଜର ହେବାକୁ ଚାହୁଁଥିଲେ ଏଥିପାଇଁ ଆବେଦନ କରିବାକୁ କୋର୍ଟ ସିସୋଦିଆଙ୍କୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରି ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ମାର୍ଚ୍ଚ ୬ରେ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ ।
ଏହା ସହ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଏବେ ପୁଲିସ ହେପାଜତ ଚାହୁଁ ନାହୁଁ। କିନ୍ତୁ ଭବିଷ୍ୟତରେ ଆମେ ଏନେଇ ଦାବି କରିପାରୁ। କାରଣ ଅଭିଯୁକ୍ତଙ୍କ ଆଚରଣ ଠିକ୍ ନାହିଁ। ସାକ୍ଷୀମାନଙ୍କୁ ଭୟଭୀତ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ରାଜନୈତିକ ରଙ୍ଗ ଦେଉଛନ୍ତି ସିସୋଦିଆ। କୋର୍ଟ ୱାରେଣ୍ଟ ଜାରି କରିବା ପରେ ହିଁ ଆମେ ଚଢ଼ଉ କରିଥିଲୁ। ଏହି ମାମଲାରେ ଯାହା ବି ପଦକ୍ଷେପ ନିଆଯାଇଛି ତାହା କୋର୍ଟଙ୍କୁ ଜଣା ଅଛି। ଚିନ୍ତାର ବିଷୟ ହେଉଛି ଯେ ଏସବୁ ପରେ ବି କାହିଁକି ସିବିଆଇ ବେଆଇନ କାର୍ଯ୍ୟ କରୁଛି ବୋଲି ଦର୍ଶାଯାଉଛି। ସିବିଆଇର ପକ୍ଷ ଶୁଣିବା ପରେ କୋର୍ଟ ସିବିଆଇର ଏହି ଦାବିକୁ ମାନି ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/t-122.jpg)