ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବୁରାଡ଼ିସ୍ଥିତ ସନ୍ତନଗରରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରୁ ନ ଥିବା ବେଳେ ଘଟଣାର ୩ ଦିନ ପରେ ଚିତ୍ତୋରଗଡ଼ରେ ରହୁଥିବା ତୃତୀୟ ଭାଇ ଦିନେଶ ମୁହଁ ଖୋଲିଛନ୍ତି। ତନ୍ତ୍ରମନ୍ତ୍ର କିମ୍ବା କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାଙ୍କ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ଯେଉଁ ରିପୋର୍ଟ ଦେଉଛି ବା ଆକଳନ କରୁଛି, ତାହାକୁ ସେ ଖଣ୍ଡନ କରିଛନ୍ତି। ଏମିତି କି ଘରର ବାହାର କାନ୍ଥରେ ୧୧ଟି ପାଇପ୍କୁ ନେଇ ଯେଉଁ ଅନୁମାନ ଲଗାଯାଉଛି ତାହାକୁ ବି ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ତାଙ୍କ ଭାଇ ପ୍ଲାଇଉଡ୍ କାମ କରୁଥିଲେ। ତେଣୁ ଘରେ କାମ କରିବା ସମୟରେ ଅତ୍ୟଧିକ ସୃଷ୍ଟି ହେଉଥିବା ଗ୍ୟାସ୍ର ନିର୍ଗମନ ପାଇଁ ଏହି ପାଇପ୍ ଲଗାଯାଇଥିଲା।
ଅନ୍ୟପକ୍ଷରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଦିଆଯାଉଥିବା ରିପୋର୍ଟକୁ ସମାଲୋଚନା କରି ସେ କହିଛନ୍ତି, ତାଙ୍କ ପରିବାରରେ ଖୁସିର ମାହୋଲ ଥିଲା। କେହି ମରିବାକୁ ଚାହିଁବେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତକାଲି ତାଙ୍କ ଭଉଣୀ ସୁଜାତା ମଧ୍ୟ ଅନୁରୂପ କଥା କହିଥିଲେ। ପାଇପ୍ ସଂକ୍ରାନ୍ତରେ ସୁଜାତା କହିଛନ୍ତି, ବାୟୁ ଚଳାଚଳ ପାଇଁ ଏହା ଲଗାଯାଇଥିଲା। ଏକ ସୌର ପ୍ରକଳ୍ପ ପାଇଁ ମଧ୍ୟ ଏହି ବ୍ୟବସ୍ଥା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ତେଣୁ ଏହାକୁ ତନ୍ତ୍ରମନ୍ତ୍ର ସହ ଯୋଡ଼ିବା ଠିକ୍ ନୁହେଁ। ତାଙ୍କ ପରିବାର ସଦସ୍ୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି।
ସେପଟେ ମୃତକଙ୍କ ମଧ୍ୟରେ ଥିବା ଲଳିତଙ୍କ ଡାଏରୀରୁ ଆଉଏକ ରହସ୍ୟଜନକ ସୂଚନା ମିଳିଛି। କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ତାଙ୍କ ପିତାଙ୍କ ପ୍ରେତାତ୍ମା ତାଙ୍କୁ ଦେଖାଦେଉଥିବା ସେ କହୁଥିଲେ। ଏମିତି କି ସ୍ୱପ୍ନରେ ତାଙ୍କୁ ଦେଖାଦେଇ ପରିବାରର ଆର୍ଥିକ ଓ ବ୍ୟବସାୟିକ ପରାମର୍ଶ ଦେଉଥିଲେ। ‘ଉପରୁ ମିଳୁଥିବା ଆଦେଶ’ ମୁତାବକ କାର୍ଯ୍ୟ କରିବାକୁ ପିତା ତାଙ୍କୁ କହୁଥିବା ଲଳିତ ନିଜ ଡାଏରୀରେ ଉଲ୍ଲେଖ କରିଛନ୍ତି। ଡାଏରୀର ଲେଖା ସହିତ ଲଳିତଙ୍କ ହସ୍ତାକ୍ଷର ମେଳ ଖାଉଥିବା ପୁଲିସ ଦର୍ଶାଇଛି। ଉଲ୍ଲେଖଥାଉ କି ଗତ ରବିବାର ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦ ଜଣଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୭୭ ବର୍ଷୀୟା ନାରାୟଣ ଦେବୀଙ୍କ ଶବ ଘରର ଚଟାଣରେ ପଡ଼ିଥିଲା। ମୃତକଙ୍କ ମଧ୍ୟରେ ନାରାୟଣ ଦେବୀଙ୍କ ଦୁଇ ପୁଅ ଭବନେଶ (୪୬) ଲଳିତ (୪୨), ଝିଅ ପ୍ରତିଭା (୫୭) ବୋହୂ ସବିତା (୪୮) ଓ ଟିନା (୪୨), ନାତୁଣୀ ପ୍ରିୟଙ୍କା (୩୩), ନିତୁ (୨୫), ମୋନୁ (୨୩), ଧ୍ରୁବ (୧୫) ଓ ଶୁଭମ୍ (୧୫) ରହିଛନ୍ତି।
ଦିଲ୍ଲୀ ଗଣ-ଆତ୍ମହତ୍ୟା: ପାଇପ୍ ରହସ୍ୟ ଖୋଲିଲେ ଦିନେଶ
କେହି ମରିବାକୁ ଚାହୁଁ ନଥିଲେ
/sambad/media/post_attachments/wp-content/uploads/2018/07/11-pipe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)