ନୂଆଦିଲ୍ଲୀ : ଫେବ୍ରୁଆରି ୨୨ ତାରିଖରେ ଦିଲ୍ଲୀ ମେୟର ନିର୍ବାଚନ ହେବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ପ୍ରସ୍ତାବ ଦେବାପରେ ଉପରାଜ୍ୟପାଳ ଭିକେ ସାକ୍ସେନା ଏହାକୁ ସ୍ବୀକୃତି ଦେଇଛନ୍ତି। ଉପରାଜ୍ୟପାଳଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଫେବ୍ରୁଆରି ୨୨ରେ ମେୟର, ଉପମେୟର ଏବଂ ଷ୍ଟାଣ୍ଡିଂ କମିଟି ନିର୍ବାଚନ ହେବ। ଦିଲ୍ଲୀ ମେୟର ନିର୍ବାଚନରେ ମନୋନୀତ ସଦସ୍ୟମାନେ ଭୋଟ୍‌ ଦେଇପାରିବେନି ବୋଲି ସୁପ୍ରିମକୋର୍ଟ ଗତକାଲି ସ୍ପଷ୍ଟ କରିବାପରେ ଉପରାଜ୍ୟପାଳ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ବୀକୃତି ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ମନୋନୀତ ସଦସ୍ୟ ମେୟର ନିର୍ବାଚନରେ ଭୋଟ୍‌ ଦେବାକୁ ନେଇ ଆପ୍‌ ଏବଂ ବିଜେପି ମଧ୍ୟରେ ସଂଘର୍ଷ ଯୋଗୁଁ ଲଗାତାର ୩ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିବାପରେ ଆଜି ନିର୍ବାଚନ ପାଇଁ ତାରିଖ ସ୍ଥିର ରହିଛି। ଫେବ୍ରୁଆରି ୨୨ ତାରିଖ ଦିନ ୧୧ଟାରେ ଏମ୍‌ସିଡି ସଦନରେ ଦିଲ୍ଲୀ ମେୟର ନିର୍ବାଚନ ହେବ। ପ୍ରଥମେ ମେୟର ନିର୍ବାଚନ ହେବ ଏବଂ ପରେ ଉପମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ନିର୍ବାଚିତ କରାଯିବ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ଅରବିନ୍ଦ କେଜ୍ରିୱାଲ ଏକ ଟ୍ବିଟ୍‌ କରି କହିଥିଲେ, ଦିଲ୍ଲୀ ଉପରାଜ୍ୟପାଳ ଏବଂ ବିଜେପି କିଭଳି ବେଆଇନ ନିର୍ଦ୍ଦେଶ ଦେଉଛନ୍ତି ତାହା ସୁପ୍ରିମକୋର୍ଟଙ୍କ ରାୟରୁ ପ୍ରମାଣ ହୋଇଗଲା।