ନୂଆଦିଲ୍ଲୀ: ଦିଲ୍ଲୀରେ ଏମସିଡି ନିର୍ବାଚନ ପରେ ବର୍ତ୍ତମାନ ମେୟର ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଦିଲ୍ଲୀର ଏମସିଡି ମେୟର ପଦ ପାଇଁ ନିର୍ବାଚନ ଆସନ୍ତାକାଲି ଅର୍ଥାତ୍ ଜାନୁଆରି ୬, ୨୦୨୩ରେ ଅନୁଷ୍ଠିତ ହେବ। ଏହା ସହିତ ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ନିର୍ବାଚିତ ହେବେ। ଏଥିପାଇଁ ବାଲାଟ ପେପରର ରଙ୍ଗ କୋଡ୍ ସ୍ଥିର କରାଯାଇଛି। ମେୟର ନିର୍ବାଚନ ପାଇଁ ମତଦାନ ସକାଳ ୧୧ ଟାରୁ ଆରମ୍ଭ ହେବ।
ମେୟର ପଦ ପାଇଁ ବିଜେପି ପକ୍ଷରୁ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆପ୍ ଶୈଲୀ ଓବରଏଙ୍କୁ ପ୍ରାର୍ଥୀ କରିଛି। ଏହା ସହ ଡେପୁଟି ମେୟର ପାଇଁ ବିଜେପି ପକ୍ଷରୁ କମଲ ବାଗଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆପ୍ ଆଲେ ମହମ୍ମଦ ଇକବାଲଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଷ୍ଟାଣ୍ଡିଂ କମିଟିର ୬ଟି ଆସନ ପାଇଁ ୭ଜଣ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପକ୍ଷରୁ କମଲଜିତ ଶେହରାୱତ, ଗଜେନ୍ଦ୍ର ଦରାଲ ଏବଂ ପଙ୍କଜ ଲୁଥ୍ରା ଥିବା ବେଳେ ଆପ୍ ପକ୍ଷରୁ ଆମିଲ ମଲିକ, ରାମିନ୍ଦର କୌର, ମୋହିନୀ ଜିନୱାଲା ଏବଂ ସାରିକା ଚୌଧୁରୀ ପ୍ରାର୍ଥୀ ହୋଇଛନ୍ତି।
ତେବେ ୩ଟି ନିର୍ବାଚନ ପାଇଁ ୩ଟି ରଙ୍ଗ ବଛାଯାଇଥିବା ଜଣାପଡ଼ିଛି। ଧଳା ବାଲାଟ ପେପର ମେୟର ନିର୍ବାଚନ, ସବୁଜ ବାଲାଟ ପେପର ଡେପୁଟି ମେୟର ନିର୍ବାଚନ ଓ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ପାଇଁ ଗୋଲାପୀ ବାଲାଟ୍ ପେପର ବଛାଯାଇଥିବା ଜଣାପଡ଼ିଛି।
ହେଲେ ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ପୁଣିଥରେ ବିବାଦ ଆରମ୍ଭ ହୋଇଛି। ଉପରାଜ୍ୟପାଳଙ୍କ ଦ୍ୱାରା ପ୍ରିଜାଇଡିଂ ଅଫିସରଙ୍କ ନିଯୁକ୍ତିକୁ ନେଇ ଏହି ବିବାଦ ହୋଇଛି। ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମେୟର ନିର୍ବାଚନ ପାଇଁ ଉପରାଜ୍ୟପାଳ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ କରିଛି, ଯାହାକୁ ବିରୋଧ କରିଛି ଆପ୍। ଶୁକ୍ରବାର ଦିନ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନରେ ମେୟର ନିର୍ବାଚନ କରିବା ପ୍ରିଜାଇଡିଂ ଅଫିସରଙ୍କ କାମ ହେବ।