ନୂଆଦିଲ୍ଲୀ: କୋଭିଡ୍-୧୯ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଥିବାରୁ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍ ସେବା ପରୀକ୍ଷାମୂଳକଭାବେ ପୁଣି ଆରମ୍ଭ ହୋଇପାରେ ବୋଲି ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଯଥାଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Advertisment

‘ଡିଜିଟାଲ୍‌ ସମ୍ବନ୍ଧ’ରେ ସହରର ଉଦ୍ୟୋଗୀ ଓ ବ୍ୟବସାୟୀଙ୍କ ସହ କଥାବାର୍ତ୍ତା କରିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଲେ ଯେ, କେନ୍ଦ୍ର ସରକାରଙ୍କ ନିକଟରେ ଏ ପ୍ରସଙ୍ଗ ଅନେକ ଥର ଉତ୍ଥାପନ କରାଯାଇଛି। ଆଶା, ଯଥାଶୀଘ୍ର ଏ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯିବ।

publive-image Image Courtesy of India.com

ସେ କହିଲେ, ଦିଲ୍ଲୀକୁ ପୃଥକ୍ ଭାବେ ବିଚାର କରାଯିବା ଉଚିତ ବୋଲି ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଦିଲ୍ଲୀରେ କରୋନାଭାଇରସ୍ ପରିସ୍ଥିତି ସୁଧୁରୁଛି। ଯଦି ସେମାନେ ଅନ୍ୟ ସହରମାନଙ୍କରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ନ ଚାହାଁନ୍ତି, ଦିଲ୍ଲୀରେ ଚଳାନ୍ତୁ। କିନ୍ତୁ, ଦିଲ୍ଲୀ ମେଟ୍ରୋ ଟ୍ରେନ୍ ସେବା ପର୍ଯ୍ୟାୟକ୍ରମେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବା ଉଚିତ। ଆମେ କେନ୍ଦ୍ର ସରକାରଙ୍କ ଠାରେ ଅନେକ ଥର ଏ କଥା ଉଠାଇଛୁ, ମୋର ଆଶା କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଯଥାଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାନ୍ଦନୀ ଚୌକ୍ ପୁନଃବିକାଶ ପ୍ରକଳ୍ପ ଧାରାରେ ଦିଲ୍ଲୀ ବଜାର ଓ ରାସ୍ତା ସବୁର ସୌନ୍ଦର୍ଯ୍ୟକରଣ ହେବ। ଦିଲ୍ଲୀର ବିଭିନ୍ନ ବଜାରରୁ ଅଟୋମେଟିଭ୍ ଯନ୍ତ୍ରାଂଶ, ନିର୍ମାଣ କ୍ଷେତ୍ର, ପ‌ୋଷାକ ଓ ବସ୍ତ୍ର, ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ଭଳି ଉଦ୍ୟୋଗୀ ଓ ବ୍ୟବସାୟୀମାନେ ସେମାନଙ୍କର ସମସ୍ୟା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏ ସବୁର ପ୍ରତିକାର ନିମନ୍ତେ ପ୍ରସ୍ତାବମାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ କି, ସେମାନଙ୍କର ପ୍ରସ୍ତାବଗୁଡ଼ିକୁ ନୋଟ୍‌ କରାଗଲା ଏବଂ ଆବଶ୍ୟକ ପଦକ୍ଷେପ ନିମନ୍ତେ ବିଚାର କରାଯିବ।