ନୂଆଦିଲ୍ଲୀ: ଜେଲରେ ଥିବା ଦିଲ୍ଲୀର ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସନ୍ତା ୧୫ଦିନ ପାଇଁ କାହାକୁ ଭେଟି ପାରିବେ ନାହିଁ ବୋଲି ସାମ୍ନାକୁ ଆସିଛି। ଏହା ସହ ସେ ରହୁଥିବା କୋଠରୀରୁ ଟେବୁଲ ଏବଂ ଚେୟାର ହଟାଇ ଦିଆଯାଇଥିବା ଜଣାପଡ଼ିଛି। ଜୁନ୍ ମାସରୁ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଜେଲରେ ଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିନାହିଁ। ଏମଧ୍ୟରେ ସେ ରହୁଥିବା କୋଠରୀରେ ଲାଗିଥିବା ସିସିଟିଭିରୁ ମିଳୁଥିବା ସୁବିଧା ବିଷୟରେ ଜଣାପଡ଼ିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଥିବା ସାମ୍ନାକୁ ଆସିଛି। କିଛି ଦିନ ତଳେ ଜୈନଙ୍କ ଭିଡିଓ ଭାଇରାଲ ହୋଇଥିଲେ, ଯେଉଁଥିରେ ଜେଲ ଭିତରେ ତାଙ୍କୁ ମସାଜ ଦିଆଯାଉଥିବା ଦେଖିବାକୁ ମିଳିଥିଲା।

Advertisment

ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି। କମିଟି ଏହା ମଧ୍ୟ କହିଛି ଯେ ଜେଲର ତତ୍କାଳୀନ ମୁଖ୍ୟ ସନ୍ଦୀପ ଗୋୟଲ, ସତ୍ୟେନ୍ଦ୍ର ଜୈନଙ୍କ ସହ ମିଶିଥିବା ଜଣାପଡିଛି। ମନ୍ତ୍ରୀଙ୍କୁ ଭିଆଇପି ଚିକିତ୍ସା ଦେଇଥିବାରୁ ଗୋୟଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ କମିଟି ସୁପାରିଶ କରିଛି।

ତେବେ ଜୈନଙ୍କ ମସାଜ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ଆପ୍ କହିଥିଲା ଯେ, ମସାଜ ନୁହେଁ ଜୈନଙ୍କୁ ଫିଜିଓଥେରାପି ଦିଆଯାଉଥିଲା। ଏହା ସହ ଘର ଖାଦ୍ୟ ଦେବା ପାଇଁ ଡାକ୍ତର ଏବଂ କୋର୍ଟ ଅନୁମତି ଦେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଏହି ଭିଡିଓ ଲିକ କରିବାର ଉଦ୍ଦେଶ୍ୟ କେବଳ ଏମସିଡି ନିର୍ବାଚନରେ ​​ତାଙ୍କ ଦଳକୁ କ୍ଷତି ପହଞ୍ଚାଇବା ।