ନୂଆଦିଲ୍ଲୀ: ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ପାଇଁ ଖୁସି ଖବର। କାରଣ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ବୃଦ୍ଧି ପାଇଥିବା ଦରମା ଅନୁଯାୟୀ ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ। ଏଥିସହିତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ମାସକୁ ୧.୭୦ଲକ୍ଷ ଟଙ୍କା କରାଯାଇଛି।

Advertisment

୨୦୨୨ ଜୁଲାଇ୪ ତାରିଖରେ ଦିଲ୍ଲୀ ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ ୫ଟି ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ପ୍ରସ୍ତାବରେ ରାଷ୍ଟ୍ରପତି ମଞ୍ଜୁରୀ ଦେଇଥିଲେ। ମଞ୍ଜୁରୀ ପାଇବାପରେ ଦିଲ୍ଲୀ ସରକାରଙ୍କ ଆଇନ ବିଭାଗ ଦରମା ବୃଦ୍ଧି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ବିଜ୍ଞପ୍ତି ଅନୁଯାୟୀ, ବିଧାୟକମାନେ ମାସକୁ ୫୪,୦୦୦ଟଙ୍କା ପାଉଥିଲେ।  ଏବେ ବିଧାୟକମାନଙ୍କ ଦରମା ୬୭ ପ୍ରତିଶତ ବୃଦ୍ଧିପାଇ ୯୦,୦୦୦ଟଙ୍କା ରହିଛି। ସେହିପରି ସରକାରୀ ମନ୍ତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମାସକୁ ବେତନ ଭାବେ ୭୨ ହଜାର ଟଙ୍କା ପାଉଥିଲେ। ଏବେ ସେମାନଙ୍କର ଦରମାରେ ୧୩୬.୧୧ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ‌ଆଗାମୀ ଦିନରେ ସରକାରୀ ମନ୍ତ୍ରୀମାନେ ମାସକୁ ୧.୭୦ ଲକ୍ଷ ଟଙ୍କା ପାଇବେ।

ସୂଚନାଯୋଗ୍ୟ, ୨୦୧୧ ପରେ ପ୍ରଥମ ଥର ପାଇଁ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି କରାଯାଇଛି। ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ଏକପ୍ରକାର ଚର୍ଚ୍ଚାର ଖବର ପାଲଟିଛି। ୧୨ବର୍ଷ ପରେ ବୃଦ୍ଧି ପାଇଥିବା ଦରମା ବିଧାୟକଙ୍କୁ ୨୦୨୩ ଫେବୃଆରିରୁ ମିଳିବ। ସେହିପରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତଥା ବିରୋଧୀ ନେତାଙ୍କୁ ୧.୭୨ଲକ୍ଷ ଟଙ୍କା ମିଳିବ। ଏଥିମଧ୍ୟରୁ ୭୦ହଜାର ଟଙ୍କା ପୂର୍ବରୁ ମିଳିଯିବ ବୋଲି ସୂଚନା ରହିଛି।