କରୋନା ବୃଦ୍ଧିକୁ ଦେଖି ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ବନ୍ଦ ହୋଇପାରେ ବିମାନ ଓ ରେଳ ସେବା

ମୁମ୍ବାଇ: ଦିଲ୍ଲୀରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଜିଠାରୁ ଦିଲ୍ଲୀରେ ଘରକୁ ଘର ବୁଲି ସର୍ଭେ କରାଯାଉଛି। ଅନ୍ୟପଟେ ମହାରାଷ୍ଟ୍ର ସରକାର ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ବିମାନ ଚଳାଚଳ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି। କେବଳ ବିମାନ ସେବା ନୁହେଁ, ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ରେଳ ସେବା ମଧ୍ୟ ବନ୍ଦ ହୋଇପାରେ । ମହାରାଷ୍ଟ୍ର ସରକାର ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ଗୋଟିଏ ପଟେ ସାରା ଦେଶରେ ଲକଡାଉନ ହଟାଇ ଶିଥିଳ ପଡ଼ିଯାଇଥିବା ଶିଳ୍ପ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, ଗତ କିଛି ଦିନ ହେବ ଦିଲ୍ଲୀରେ କରୋନା ଯୋଗୁଁ ଲୋକମାନେ ପ୍ରାଣ ହରାଇଛନ୍ତି |

ଯାହାକୁ ନେଇ ମହାରାଷ୍ଟ୍ର ସରକାର ଚିନ୍ତିତ ଅଛନ୍ତି ଏବଂ ସେଠାରେ କରୋନା ବିସ୍ତାରକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ତେବେ ସରକାର ଏହା ମଧ୍ୟ କହିଛନ୍ତି ଯେ ଯଦି ଏହି ନିଷ୍ପତ୍ତି ନିଆଯାଏ ତେବେ ଲୋକଙ୍କୁ ୪୮ ଘଣ୍ଟା ସମୟ ଦିଆଯିବ। ଶୁକ୍ରବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ, ଯେଉଁଥିରେ ଦିଲ୍ଲୀରେ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇଥିବା ନେଇ ଅବଗତ କରାଯାଇଥିଲା |

ଆଉ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଅନେକ ଲୋକ ଯିବାଆସିବା କରୁଥିବାରୁ କରୋନାକୁ ରୋକିବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ ବନ୍ଦ କରାଯିବା ଉଚିତ ବୋଲି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଏହି ପ୍ରସ୍ତାବ ଉପରେ ବିଚାରବିମର୍ଶ ଚାଲିଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ଲୋକଙ୍କୁ ୪୮ ଘଣ୍ଟା ସମୟ ଦିଆଯିବ | ଦିଲ୍ଲୀରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୮ ହଜାରରୁ ଅଧିକ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର