ନୂଆଦିଲ୍ଲୀ : ଦିଲ୍ଲିୀ ଏବଂ ମୁମ୍ବାଇରେ ଅଚାନକ ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇଛି। ଦିଲ୍ଲୀରେ ଶନିବାର ଦିନ ୨୪୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୬ ମାସରେ ଏହା ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ। ଅନ୍ୟପକ୍ଷେ ଦିଲ୍ଲୀରେ ଦୈନିକ ସଂକ୍ରମଣ ମାମଲାରେ ଦିନକରେ ୩୮ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ଦିଲ୍ଲୀରେ ସଂକ୍ରମଣ ମାମଲା ୧୮୦ ଥିଲା। ଅନ୍ୟପକ୍ଷେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦିଲ୍ଲୀରେ ମୋଟ୍ ମୃତ୍ୟୁସଂଖ୍ୟା ୨୫,୧୦୪ ରହିଛି। ତଥ୍ୟ ଅନୁଯାୟୀ, ଜୁନ୍ ୧୩ ପରେ ଆଜି ଦିଲ୍ଲୀରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି। ଜୁନ୍ ୧୩ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୫୫ ଥିଲା। ଦିଲ୍ଲୀରେ ମୋଟ୍ ସଂକ୍ରମଣ ମାମଲା ୧୪,୪୩,୦୬୨ ରହିଛି। ଅନ୍ୟପକ୍ଷେ ମୁମ୍ବାଇରେ ୭୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଆଜି ମୁମ୍ବାଇ ସଂକ୍ରମଣ ମାମଲାରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ମୁମ୍ବାଇରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭,୭୦,୧୯୦ରେ ପହଞ୍ଚିଛି। ମୁମ୍ବାଇରେ ମୋଟ୍ ମୃତ୍ୟୁସଂଖ୍ୟା ୧୬,୩୬୮ ରହିଥିବା ବେଳେ ସଂକ୍ରମଣ ବଢ଼ିବାରୁ ମୁମ୍ବାଇରେ କଟକଣା ବଢ଼ିଛି। ମୁମ୍ବାଇ ପୌର ନିଗମ ଆଜି ସକାଳେ ମୁମ୍ବାଇରେ ନୂଆବର୍ଷ ଉତ୍ସବ ଉପରେ ରୋକ୍ ଲଗାଇଛନ୍ତି। ମୁମ୍ବାଇରେ ଏଯାବତ ୧୭ଟି ବିଲ୍ଡିଂ ସିଲ୍ ହୋଇଛି।
କର୍ଣ୍ଣାଟକ ମେଡିକାଲ୍ କଲେଜରେ ୩୩ ଛାତ୍ର ସଂକ୍ରମିତ
ବେଙ୍ଗାଲୁରୁ : କର୍ଣ୍ଣାଟକର କୋଲାର ଜିଲ୍ଲାର ଏକ ମେଡିକାଲ କଲେଜରେ ୩୩ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ଛାତ୍ର ଆଇସୋଲେସନ୍ରେ ଅଛନ୍ତି ବୋଲି ଜଣେ ଜିଲ୍ଲା ଅଧିକାରୀ କହିଛନ୍ତି। ଇତି ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କହିଛନ୍ତି,ସେ ବେଙ୍ଗାଲୁରୁରେ ରବିବାର ଦିନ ବିଶେଷଜ୍ଞମାନଙ୍କ ସହ ଏକ ବୈଠକ କରିବେ। ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡ଼ୁରେ ଓମିକ୍ରନ୍ ସଂକ୍ରମଣ ବଢ଼ିବା ଅତ୍ୟନ୍ତ ଚିନ୍ତାଜନକ। ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ବେଙ୍ଗାଲୁରୁରେ ପରବର୍ତ୍ତୀ ପଦକ୍ଷେପ ନେବା ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ବୈଠକ ପରେ ନାଇଟ୍ କର୍ଫ୍ୟୁ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।