ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସମ୍ମତି ବିନା ଦିଲ୍ଲୀ ପୌର ନିଗମକୁ ଉପରାଜ୍ୟପାଳଙ୍କ ସଭ୍ୟ ମନୋନୟନ ଅଧିକାର ବିରୋଧରେ ଆଗତ ମାମଲାର ଶୁଣାଣି ଆଜି ଶେଷ ହୋଇଛି ଏବଂ ସୁପ୍ରିମ୍‌କୋର୍ଟ ଏହା ଉପରେ ରାୟକୁ ସରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ଜେବି ପାର୍ଦ୍ଦିୱାଲାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ। ଦିଲ୍ଲୀ ଉପରାଜ୍ୟପାଳ ମନ୍ତ୍ରିପରିଷଦର ବିନା ପରାମର୍ଶରେ ପୌର ପରିଷଦକୁ ୧୦ ଜଣ ସଭ୍ୟ ମନୋନୟନ କରି ସେ ବାବଦରେ ଏକ ନୋଟିସ ଜାରି କରିଛନ୍ତି। ଏହା ବିରୋଧରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ମାମଲାର ଶୁଣାଣି କରିବା ଅବସରରେ ସିଜେଆଇ ଚନ୍ଦ୍ରଚୂଡ଼ ମୌଖିକ ମନ୍ତବ୍ୟ ଦେଇଥିଲେ ଯେ, ଉପରାଜ୍ୟପାଳଙ୍କ ସଭ୍ୟ ମନୋନୟନ କ୍ଷମତା ଦ୍ବାରା ଏକ ନିର୍ବାଚିତ ପୌର ନିଗମରେ ଅସ୍ଥିରତା ସୃଷ୍ଟି କରାଯାଇପାରେ।

Advertisment

ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ ଏଏମ୍‌ ସିଂଘଭୀ ମାମଲା ଲଢ଼ୁଥିବା ବେଳେ ଉପରାଜ୍ୟପାଳଙ୍କ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ ମାମଲା ପରିଚାଳନା କରୁଥିଲେ। ଜୈନଙ୍କ ଯୁକ୍ତି ଅନୁଯାୟୀ ଧାରା ୨୩୯ଏ ଅନୁଯାୟୀ ପ୍ରଶାସକ ଭାବେ ଉପରାଜ୍ୟପାଳଙ୍କ କ୍ଷମତା ନିର୍ଦ୍ଦିଷ୍ଟ। ଦିଲ୍ଲୀ ପୌର ନିଗମ ଆକ୍ଟରେ ପ୍ରଶାସକ (ଉପରାଜ୍ୟପାଳ)ଙ୍କ କ୍ଷମତା ନିର୍ଦ୍ଦିଷ୍ଟ କରାଯାଇଛି ବୋଲି ସେ କହିଥିଲେ। ନିଜର ଆଇନଗତ କ୍ଷମତା ଉପଯୋଗ କଲାବେଳେ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ପରାମର୍ଶ ନେବାର ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଥିଲେ। ଅପରପକ୍ଷେ ସିଂଘଭୀ କହିଥିଲେ ଯେ, ଗତ ୩୦ ବର୍ଷ ଭିତରେ ପୂର୍ବତନ ସମସ୍ତ ଉପରାଜ୍ୟପାଳ ସଭ୍ୟ ମନୋନୟନ କଲାବେଳେ ସରକାରଙ୍କ ପରାମର୍ଶ ନେଇ ଆସିଛନ୍ତି। ଏହାର ଉତ୍ତରରେ ଜୈନ କହିଥିଲେ ପରମ୍ପରା ଅଛି ବୋଲି ତାହାକୁ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ।