ନୂଆଦିଲ୍ଲୀ: ଦିଲ୍ଲୀରେ ଅପରାଧ ଦିନକୁ ଦିନ ବଢ଼ିଚାଲିଛି। କଥା କଥାରେ ଗୁଳି ଫୁଟୁଛି, ଛୁରି ଚାଲୁଛି। ଠିକ୍ ସେହିପରି, ଜାନୁଆରି ୩ତାରିଖରେ ଦିଲ୍ଲୀର ରାଜୀବ ଚୌକ (କନଟ୍ ପ୍ଲେସ୍)ରେ ଏକ ଭୟଙ୍କର ଘଟଣା ଘଟିଥିଲା। ତିନି ଜଣ ଡେଲିଭରୀ ବୟ ୩୬ ବର୍ଷୀୟ ବ୍ୟବସାୟୀ ଶିବମ୍ ଗୁପ୍ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଗୁପ୍ତା କନଟ୍ ପ୍ଲେସରେ ଏକ ପାର୍ଟିକୁ ଯାଇଥିଲେ, ରାସ୍ତାରେ ଡେଲିଭରୀ ବୟମାନଙ୍କ ସହ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏତିକିରେ ଅଭିଯୁକ୍ତମାନେ ତାଙ୍କ ହେଲମେଟ୍ ସାହାଯ୍ୟରେ ଶିବମଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ଅବସ୍ଥାରେ ପଡ଼ିଯାଇଥିଲେ। ଶିବମ ଗୁପ୍ତାକୁ ଆହତ ଅବସ୍ଥାରେ ପ୍ରଥମେ ଏଲଏନଜେପି(ଲୋକନାୟକ ହସ୍ପିଟାଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ଏବଂ ପରେ ଆରଏମଏଲ(ରାମ ମନୋହର ଲୋହିଆ) ହସ୍ପିଟାଲକୁ ରେଫର କରାଯାଇଥିଲା। ଚିକିତ୍ସା ସମୟରେ ୧୭ ଦିନ ପରେ ଜାନୁଆରୀ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପାଣି ମାଗିବାକୁ ନେଇ ଯୁକ୍ତିତର୍କ ହୋଇଥିଲା

Advertisment

ରିପୋର୍ଟ ଅନୁଯାୟୀ, ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରର ବାସିନ୍ଦା ଶିବମ୍ ଜାନୁଆରୀ ୨ ତାରିଖରେ ଜଣେ ବନ୍ଧୁଙ୍କ ସହ କନଟ୍ ପ୍ଲେସରେ ଏକ ପାର୍ଟିକୁ ଯାଇଥିଲେ। ରେଷ୍ଟୁରାଣ୍ଟରୁ ବାହାରିବା ପରେ, ସେ ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ନିକଟସ୍ଥ ଇ ବ୍ଲକ୍ ନିକଟରେ ଜଣେ ଡେଲିଭରି ବୟଙ୍କୁ ପାଣି ମାଗିଥିଲେ। ସାମାନ୍ୟ ପାଣି ମଗାକୁ ନେଇ ତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଡେରିଭରି ବୟ ତାଙ୍କୁ ହେଲମେଟରେ ପିଟିଥିଲେ ଏବଂ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଶିବମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଜାନୁଆରୀ ୩ ତାରିଖ ରାତି ପ୍ରାୟ ୧.୩୦ ସମୟରେ, ଜଣେ ଆହତ ବ୍ୟକ୍ତି ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିବା ଏବଂ ପ୍ରଚୁର ରକ୍ତସ୍ରାବ ହେଉଥିବା ନେଇ ପୁଲିସ ସୂଚନା ପାଇଥାଲା। ଘଟଣାସ୍ଥଳରେ ପହଞ୍ଚି ଶିବମଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲା ପୁଲିସ। ଡାକ୍ତର ଯାଞ୍ଚ କରିବା ପରେ ନିଶ୍ଚିତ କରିଥିଲେ ଯେ ତାଙ୍କର ଅନେକ ସ୍ଥାନରେ ରକ୍ତ ଜମାଟ ବାନ୍ଧିଛି। ସେ ବୟାନ ଦେବା ପାଇଁ କୌଣସି ଅବସ୍ଥାରେ ନଥିଲେ।

ତେବେ ଏକମାତ୍ର ପୁଅ ଶିବମ୍ ଗୁପ୍ତାଙ୍କ ମୃତ୍ୟୁ ପୂରା ପରିବାରକୁ ଶୋକର ଛାୟା ଭିତରକୁ ଠେଲିଦେଇଛି। ପୂରା ପରିବାର ଶିବମଙ୍କୁ ଝୁରି ହେଉଛି, ଏବଂ ନ୍ୟାୟ ପାଇଁ ଦାବି କରିଛନ୍ତି। ଶିବମଙ୍କ ବାପା ଅନିଲ କାନ୍ତ ଗୁପ୍ତା କହିଛନ୍ତି, ତାଙ୍କ ପୁଅ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଏକ ପାର୍ଟିରେ ଯୋଗଦେବା ପାଇଁ ଘରୁ ବାହାରିଥିଲା କିନ୍ତୁ ଆଉ ଫେରି ନଥିଲା। ସେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ, କିନ୍ତୁ କୌଣସି ଉତ୍ତର ପାଇ ନଥିଲେ। କିଛି ସମୟ ପରେ, ପୁଲିସ ତାଙ୍କୁ ଫୋନ୍ କରି ଜଣାଇଲା ଯେ ତାଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି।

ଶିବମଙ୍କ ବାପା ଆହୁରି କହିଛନ୍ତି, "ଆମେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଲୁ, ପୁଅର ଅବସ୍ଥା ଗୁରୁତର ଥିଲା। ସେ ରକ୍ତ ବାନ୍ତି କରୁଥିଲେ ଏବଂ କୌଣସି ପ୍ରତିକ୍ରିୟା ଦେଉ ନଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ପଠାଇବାକୁ ଆମେ ଡାକ୍ତରଙ୍କୁ ଅନୁରୋଧ କରିଥିଲୁ।" ପରେ ଡାକ୍ତର ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଅନ୍ୟ ଏକ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ। ଶିବମଙ୍କୁ ଜାନୁଆରୀ ୪ ତାରିଖରେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଜାନୁଆରୀ ୫ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତର କହିଥିଲେ ଯେ ଆଗାମୀ ୩୬ ରୁ ୭୨ ଘଣ୍ଟା ଶିବମଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପେର କିଛି ସମୟ ପାଇଁ ଶିବମଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ମଧ୍ୟ ଆସିଥିଲା। କିନ୍ତୁ ଜାନୁଆରୀ ୧୯ରେ ରେ ସେ ଆମକୁ ଛାଡ଼ି ଚାଲିଗଲା।"

ଶିବମଙ୍କ ବାପା ଅଭିଯୋଗ କରିଛନ୍ତି, "ମୁଁ ପୁଲିସ ସହିତ ଘଟଣାର ଅନେକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲି। ପୁଲିସ ମୋତେ କହିଛି ଯେ ମୋ ପୁଅ ଡେଲିଭରୀ ବୟଙ୍କୁ ପାଣି ମାଗିଥିଲା ଏବଂ ତା''ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ଝଗଡ଼ା ହୋଇଥିଲା। କ୍ରୋଧରେ, ସେମାନେ ବାରମ୍ବାର ମୋ ପୁଅକୁ ହେଲମେଟ୍ ସାହାଯ୍ୟରେ ତା ମୁଣ୍ଡକୁ ଆଘାତ କରିଥିଲେ। ସେ ତଳେ ଅଚେତ ହୋଇ ପଡ଼ିଥିଲା, କିନ୍ତୁ ପୁଅ ସହିତ ଯାଇଥିବା ତା ବନ୍ଧୁ ପାଖରେ ଠିଆ ହୋଇଥିଲେ। ମୁଁ ବୁଝିପାରୁନାହିଁ ଯେ ସେ ଏହି ଘଟଣା ବିଷୟରେ ଆମକୁ କାହିଁକି ଜଣାଇଲେ ନାହିଁ।"

ଏବେ ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ଓସାମା ଏବଂ ଆରିଭ ଭାବରେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନଏସ୍ ଧାରା ୧୧୦ ଏବଂ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୁଲିସ କହିଛି, ତଦନ୍ତ ସମୟରେ ମିଳିଥିବା ପ୍ରମାଣ ଆଧାରରେ ଏଫଆଇଆରରେ ଅତିରିକ୍ତ ଧାରା ଯୋଡା ଯାଇପାରେ।