ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ : ଦିଲ୍ଲୀ ଦେଶର ଅପରାଧ ରାଜଧାନୀ, ଓଡ଼ିଶାରେ ବି ବଢ଼ିଛି ଅପରାଧ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ଏବେ ଅପରାଧର ରାଜଧାନୀ ପାଲଟିଛି । ଏକଥା ଆମେ କହୁନାହୁଁ, ସରକାରୀ ତଥ୍ୟ କହୁଛି । ହତ୍ୟା, ଦୁଷ୍କର୍ମ, ନାରୀ ଓ ଶିଶୁ ନିର୍ଯାତନା ସବୁଥିରେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଅପରାଧ ହାର ଦୃଷ୍ଟିରୁ ଓଡ଼ିଶା ସାରାଦେଶରେ ୧୮ ତମ ସ୍ଥାନରେ ରହିଛି । ଗତ ୨୦୧୪ରୁ ୨୦୧୬ ମଧ୍ୟରେ ଓଡ଼ିଶାରେ ଆଇପିସି (ଭାରତୀୟ ଦଣ୍ଡବିଧି ଆଇନ) ଅପରାଧ ସଂଖ୍ୟା ବଢିଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦୧୪ରେ ଓଡ଼ିଶାରେ ପ୍ରାୟ ୭୪୫୬୯ଟି ଅପରାଧ ରିପୋର୍ଟ ହୋଇଥିବା ବେଳେ ୨୦୧୬ରେ ତାହା ୮୧,୪୬୦କୁ ବୃଦ୍ଧି ପାଇଛି ।

କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗୁରୁବାରଦିନ ପ୍ରକାଶିତ ୨୦୧୬ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ଅପରାଧିକ ମାମଲା ଦୃଷ୍ଟିରୁ ଦିଲ୍ଲୀ ଦେଶର ୧୯ଟି ମହାନଗର (୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ନଗରୀ ) ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ଏହି ୧୯ଟି ମହାନଗରରେ ଯେତେ ସଂଖ୍ୟକ ଅପରାଧ ହୋଇଛି ତାହାର ପ୍ରାୟ ୩୮ ପ୍ରତିଶତ କେବଳ ଦିଲ୍ଲୀରେ ହୋଇଛି । ଦିଲ୍ଲୀ ପଛକୁ ରହିଛନ୍ତି ଯଥାକ୍ରମେ ବାଙ୍ଗାଲୁରୁ (୮.୯%) ଓ ମୁମ୍ବାଇ (୭.୭%) । ମହିଳା ଓ ଶିଶୁମାନଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ମଧ୍ୟ ରାଜଧାନୀ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି । ସେହିପରି ଅର୍ଥନୈତିକ ଅପରାଧ କ୍ଷେତ୍ରରେ ମଧ୍ୟ ଦିଲ୍ଲୀ ଅନ୍ୟ ମହାନଗରୀଠାରୁ ଆଗୁଆ ରହିଛି । ତେବେ ସାଇବର କ୍ରାଇମ କ୍ଷେତ୍ରରେ ମୁମ୍ବାଇ ଦେଶରେ ପ୍ରଥମ ରହିଛି ।

NCRB

ଅନ୍ୟପକ୍ଷରେ ଅପରାଧ ଦୃଷ୍ଟିରୁ ଉତ୍ତରପ୍ରଦେଶ ଦେଶରେ ପ୍ରଥମ ସ୍ଥାନରେ ରହିଛି । ଏହି ରାଜ୍ୟରେ ୨୦୧୬ରେ ପ୍ରାୟ ୪୮୮୯ ଟି ହତ୍ୟା ମାମଲା ଦାଏର ହୋଇଛି । ଏହା ପଛକୁ ରହିଛି ବିହାର, ଯେଉଁଠାରେ ପ୍ରାୟ ୨୫୮୧ଟି ହତ୍ୟା ମାମଲା ଦାଏର ହୋଇଛି । ଦେଶରେ ଘଟିଥିବା ମୋଟ ହତ୍ୟା ମାମଲାର ଏକ ଚତୁର୍ଥାଂଶ ୟୁପି ଓ ବିହାରରେ ହୋଇଛି। ତେବେ ସାମଗ୍ରିକ ଭାବେ ୨୦୧୫ରୁ ୨୦୧୬ ମଧ୍ୟରେ ଦେଶରେ ହତ୍ୟା ମାମଲାଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ଦୁଷ୍କର୍ମ କ୍ଷେତ୍ରରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଦେଶରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର