ନୂଆଦିଲ୍ଲୀ: ଜଣେ ନାବାଳିକାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀ ପ୍ରେମୋଦୟ ଖାଖାଙ୍କୁ ଗିରଫ କରାଯାଇଛି। ଏଥିସହ ସ୍ୱାମୀ ନାବାଳିକାଙ୍କୁ ଗର୍ଭବତୀ କରିବା ପରେ ଗର୍ଭପାତ ଔଷଧ ଦେଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ଏସଂପର୍କରେ ସୂଚନା ଦେଇ ଦିଲ୍ଲୀ ପୁଲିସ୍‌ କହିଛି ଯେ ଏହି ମାମଲାରେ ଆମେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରେମୋଦୟ ଖାଖା(୫୧)। ଦ୍ଵିତୀୟ ଜଣକ ହେଉଛନ୍ତି ତାଙ୍କ ପତ୍ନୀ ସୀମା ରାଣୀ(୫୦)। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ସାଗର ସିଂ ଖାଲସୀ କହିଛନ୍ତି, ‘ଆମେ ସୀମା ରାଣୀଙ୍କୁ ଗିରଫ କରିଛୁ; କାରଣ ସେ ଏହି ଘଟଣା ବିଷୟରେ ଜାଣିଥିଲେ ଏବଂ ପୀଡ଼ିତାଙ୍କ ଗର୍ଭପାତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।’’

ଗିରଫ ହେବାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଖାଖାଙ୍କୁ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସହକାରୀ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥିଲା।

ଖାଖାଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ଶାସକ ଆମ୍‌ ଆଦମୀ ପାର୍ଟି ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିବାର କିଛି ଘଣ୍ଟା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ‘ଅଭିଯୁକ୍ତ ଅଧିକାରୀଙ୍କୁ ଗିରଫ କରିବାରେ ବିଫଳତା ଏହି ମାମଲାର ସବୁଠାରୁ ଖରାପ ଦିଗ’ ବୋଲି ଆପ୍‌ କହିଛି ଏବଂ ଖାଖାଙ୍କ ବିରୋଧରେ ଆଇନର ସର୍ବାଧିକ ମାତ୍ରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ଖାଖାଙ୍କୁ ଗିରଫ କରିବା ପାଇଁ କେଜ୍ରିଓ୍ଵଲଙ୍କ ଭଳି ତ୍ୱରିତ ପଦକ୍ଷେପ ନେବାକୁ ଦିଲ୍ଲୀ ମନ୍ତ୍ରୀ ଆତିଶୀ ପୁଲିସକୁ ଆହ୍ଵାନ ଦେଇ କହିଥିଲେ, ‘ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମହିଳା ଓ ଶିଶୁ ବିଭାଗର ଜଣେ ଅଧିକାରୀ ହୋଇଥିବାରୁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା! ମୁଁ ଆଶା କରୁଛି ଦିଲ୍ଲୀ ପୁଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।’

ଆଜି ପୁଲିସ ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତ ଖାଖା ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି। ଉଭୟଙ୍କୁ ପଚରାଉଚରା କରାଯାଉଛି।

ରିପୋର୍ଟରୁ ପ୍ରକାଶ, ଖାଖା ତାଙ୍କ ସାଙ୍ଗର ନାବାଳିକା ଝିଅକୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ସମୟ ମଧ୍ୟରେ ୧୪ ବର୍ଷୀୟା ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ ଏବଂ ଖାଖାଙ୍କ ପତ୍ନୀ ପୀଡ଼ିତାଙ୍କୁ ଖାଦ୍ୟ ଖାଇବା ସମୟରେ ଗର୍ଭପାତ ବଟିକା ଦେଇଥିବା ଅଭିଯୋଗ ହୋଇଛି।

ନଭେମ୍ବର ୨୦୨୦ରୁ ଜାନୁଆରି ୨୦୨୧ ମଧ୍ୟରେ ଏହି ଦୁଷ୍କର୍ମ ଘଟିଥିଲା। ଯେତେବେଳେ ନାବାଳିକା ଜଣକ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଆସି ଖାଖା ଏବଂ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ ଏହି ଘଟଣା ଘଟିଥିଲା। ଚଳିତ ମାସରେ ନାବାଳିକା ଜଣକ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ ହସ୍ପିଟାଲର ଜଣେ ଥେରାପିଷ୍ଟଙ୍କୁ ନିଜର ଦୁଃଖ ବର୍ଣ୍ଣନା କରିବା ପରେ ଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ ହୋଇଥିଲା।