ଦିଲ୍ଲୀର ରାମଲୀଳା ମୈଦାନରେ ଠୁଳ ହେବେ ହଜାର ହଜାର କୃଷକ: ଦିଲ୍ଲୀରେ ସତର୍କତା

ନୂଆଦିଲ୍ଲୀ: କିଷାନ ମୁକ୍ତି ଯାତ୍ରାର ଅଂଶ ଭାବେ ହଜାର ହଜାର କୃଷକ ଗୁରୁବାର ଦିନ ପ୍ରବେଶ କରୁଥିବାରୁ ୧୦୦୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମଚାରୀଙ୍କୁ ନୂଆଦିଲ୍ଲୀରେ ମୁତୟନ କରାଯାଇଛି।

କେନ୍ଦ୍ରୀୟ ଦିଲ୍ଲୀର ରାମଲୀଳା ମୈଦାନ ଠାରେ ଚାଷୀମାନେ ଏକତ୍ର ହୋଇ ଶୁକ୍ରବାର ଦିନ ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ରେ ପଦଯାତ୍ରା କରିବେ। କୃଷି ସଂକ୍ରାନ୍ତ ସଙ୍କଟ ବିଷୟରେ ଆଲୋଚନା ନିମନ୍ତେ ପାର୍ଲାମେଣ୍ଟ୍‌ର ତିନି ସପ୍ତାହ ଲାଗି ମିଳିତ ଅଧିବେଶନ ବସୁ ବୋଲି ସେମାନେ ଦାବି କରୁଛନ୍ତି।

ଜାତୀୟ ରାଜଧାନୀରେ ଏହା ହେଉଛି ଦୁଇ ମାସ ମଧ୍ୟରେ ଚାଷୀମାନଙ୍କର ଦ୍ୱିତୀୟ ବୃହତ୍‌ ପଦଯାତ୍ରା। ଗୁରୁବାର ଦିନ ୧୨, ୦୦୦ ରୁ ୧୫, ୦୦୦ ଏବଂ ଶୁକ୍ରବାର ଦିନ ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ରେ ୪୦, ୦୦୦ ଚାଷୀ ସମବେତ ହେବେ ବୋଲି ଆୟୋଜକମାନେ କହୁଛନ୍ତି।

ପ୍ରତିବାଦକାରୀଙ୍କ ନିମନ୍ତେ ୨୬୦ଟି ଭ୍ରାମ୍ୟମାଣ ଶୌଚାଳୟ, ପାନୀୟ ଜଳ ଟ୍ୟାଙ୍କର୍‌ ଏବଂ ଆମ୍ବୁଲାନ୍‌ସ୍‌ ଯୋଗାଡ଼ କରାଯାଇଛି ବୋଲି ଦିଲ୍ଲୀ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି।

ଗୁରୁବାର ସନ୍ଧ୍ୟା ୫ଟାରେ ଚାଷୀମାନେ ଆନନ୍ଦ ବିହାର, ନିଜାମୁଦ୍ଦିନ, ବ୍ରିଜ୍‌ଓ୍ଵାସନ୍‌, ମଞ୍ଜୁକା ତିଲା ଏବଂ କିଷନଗଡ଼ ଦେଇ ଦିଲ୍ଲୀକୁ ପଶିବା ଆରମ୍ଭ କରିବେ।

ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ରେ ସମବେତ ହେବା ପରେ ଚାଷୀମାନେ ଶୁକ୍ରବାର ଦିନ ଦାବିପତ୍ର ରିଲିଜ୍‌ କରିବେ।

ସମ୍ବନ୍ଧିତ ଖବର