ନୂଆଦିଲ୍ଲୀ: ଦିଲ୍ଳୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବରିଷ୍ଠ ନେତ୍ରୀ ଅତିଶୀଙ୍କ ନାମ ଘୋଷଣା କରିବା ପରେ ସେ ପ୍ରଥମ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ନିଜ ଗୁରୁ ବୋଲି ସମ୍ବୋଧନ କରି ବିଧାନସଭା ନିର୍ବାଚନରେ ଆପ୍‌ ମୁଖ୍ୟଙ୍କୁ ନିର୍ବାଚିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହାଛଡ଼ା ବିଜେପି କିପରି ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ମିଛ ମାମଲା କରି ଆପ୍‌କୁ ଭାଙ୍ଗିବାକୁ ଚେଷ୍ଟା କରିଛି ସେ ସଂପର୍କରେ ବି କହିଛନ୍ତି। 

Advertisment

ଗଣମାଧ୍ୟମକୁ ସମ୍ବୋଧିତ କରି ଅତିଶୀ କହିଛନ୍ତି ଯେ ‘‘ଦିଲ୍ଲୀର କେବଳ ଜଣେ ମୁଖ୍ୟମନ୍ତ୍ରୀ ଏବଂ ସେ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ। ମୁଁ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଫେରାଇ ଆଣିବା ଲକ୍ଷ୍ୟରେ ଆସନ୍ତା କିଛି ମାସ କାର୍ଯ୍ୟ କରିବି।’’

ଦିଲ୍ଲୀ କ୍ୟାବିନେଟର ଏକମାତ୍ର ମହିଳା ମନ୍ତ୍ରୀ ଅତିଶୀ କହିଛନ୍ତି ଯେ ନୂଆ ଜଣେ ରାଜନେତ‌ାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଇବା କେବଳ ଆପ୍‌ ଦ୍ବାରା ସମ୍ଭବ।

"ଯଦି ମୁଁ ଅନ୍ୟ କୌଣସି ଦଳରେ ଥାଆନ୍ତି, ବୋଧହୁଏ ମୋତେ ନିର୍ବାଚନ ଟିକେଟ ମଧ୍ୟ ଦିଆଯାଇ ନଥାନ୍ତା। କିନ୍ତୁ ଅରବିନ୍ଦ କେଜ୍ରିୱାଲ ମୋତେ ବିଶ୍ବାସ କରିଥିଲେ, ମୋତେ ଜଣେ ବିଧାୟିକା ତଥା ମନ୍ତ୍ରୀ କରିଥିଲେ ଏବଂ ଆଜି ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ପ୍ରଦାନ କରିଛନ୍ତି" ବୋଲି ଅତିଶୀ କହିଛନ୍ତି। 

ସେ କହିଛନ୍ତି, “ଯେପର୍ଯ୍ୟନ୍ତ ମୁଁ ଏହି ବୃହତ ଦାୟିତ୍ୱ ତୁଲାଇବି, ମୋର କେବଳ ଗୋଟିଏ ଲକ୍ଷ୍ୟ ରହିବ। ତାହା ହେଉଛି ମୁଁ ଦିଲ୍ଲୀର ଲୋକଙ୍କୁ ସୁରକ୍ଷା ଦେବି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ସରକାର ଚଳାଇବାକୁ ଚେଷ୍ଟା କରିବି।’’