ସଂକ୍ରମଣ ବଢ଼ିବା ସହ କଡ଼ା ହେଲା କଟକଣା: ଦିଲ୍ଲୀରେ ବନ୍ଦ ହେଲା ଘରୋଇ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା କଡ଼ାକଡ଼ି କରୁଛନ୍ତି ସରକାର। ଆଜିଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ନୂତନ ଗାଇଡଲାଇନରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ କାର୍ଯ୍ୟାଳୟ ବ୍ୟତୀତ ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହିତ, ସମସ୍ତ ରେସ୍ତୋରାଁ ଏବଂ ବାରଗୁଡିକ ବନ୍ଦ ରହିବ। କେବଳ ପାର୍ସଲ ଏବଂ ଅନଲାଇନ ବିତରଣକୁ ଅନୁମତି ଦିଆଯିବ।

ପୂର୍ବରୁ ୫୦% କର୍ମଚାରୀଙ୍କ ସହ ଘରୋଇ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସମସ୍ତ କର୍ମଚାରୀ ଘରେ ରହି କାମ କରିବେ। ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀ ହିଁ କେବଳ ଅଫିସ ଆସିପାରିବେ।

indiatoday

ଗତକାଲି କରୋନା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଦିଲ୍ଲୀରେ ବାର୍ ଓ ରେସ୍ତୋରାଁରେ ବସିବା ଉପରେ କଟକଣା ଲଗାଇଥିଲେ ସରକାର। ଦିଲ୍ଲୀରେ ଥିବା କୌଣସି ବାର୍ ବା ରେସ୍ତୋରାଁରେ ଲୋକେ ବସି ଖାଇପାରିବେ ନାହିଁ। କେବଳ ‌ଘରକୁ ପାର୍ସଲ ନେବାକୁ ଅନୁମତି ଦିଆଯାଇଥିଲା। ଏହା ସହ ଲୋକେ ଅନଲାଇନ ଖାଦ୍ୟ ଅର୍ଡର କରିପାରିବେ ବୋଲି କୁହାଯାଇଥିଲା।

indiatoday

ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୨୨,୭୫୧ଜଣ କରୋନା ଆକ୍ରାନ୍ତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।  ଏହାପୂର୍ବରୁ ଦିଲ୍ଲୀରେ ୟେଲୋ ଆଲର୍ଟ ସହିତ ନାଇଟ୍ କର୍ଫ୍ୟୁ ଏବଂ ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଘୋଷଣା କରାଯାଇଛି। ହେଲେ କଟକଣା ସତ୍ତ୍ବେ ମଧ୍ୟ ସଂକ୍ରମଣ କମ ହେଉନଥିବାରୁ ସରକାର ଗୋଟେ ପରେ ଗୋଟେ କଟକଣା ଲଗାଇବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର