ଦିଲ୍ଲୀ ଅକ୍ସିଜେନ୍‌ ବିବାଦ ଅନାବଶ୍ୟକ: ଗୁଲେରିଆ ପରିସ୍ଥିତିକୁ ଦେଖି ଅକ୍ସିଜେନ୍‌ ଚାହିଦା ବଦଳିଥାଏ

ନୂଆଦିଲ୍ଲୀ: ଦିଲ୍ଲୀ ଏହାର ଅକ୍ସିଜେନ୍‌ ଆବଶ୍ୟକତାକୁ ମାତ୍ରାଧିକ ବୃଦ୍ଧି କରିଥିବା ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଛି ତାହା ଚୂଡ଼ାନ୍ତ ନୁହେଁ। ଦ୍ବିତୀୟ ଲହରରେ ଦିଲ୍ଲୀ ଏହାର ଆବଶ୍ୟକତାଠାରୁ ୪ଗୁଣା ଅଧିକ ଅକ୍ସିଜେନ୍‌ ମାଗିଥିଲା ବୋଲି ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତି ଅକ୍ସିଜେନ୍‌ ଅଡିଟ୍‌ କମିଟି ରିପୋର୍ଟ ଦେଇଛନ୍ତି । ତେବେ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହି ରିପୋର୍ଟ ଚୂଡ଼ାନ୍ତ ନୁ‌ହେଁ ଏବଂ ଏହା ଏବେ ବି ବିଚାରାଧୀନ ରହିଥିବାରୁ ଏହାକୁ ନେଇ ବିବାଦ ଅନାବଶ୍ୟକ।

ଗୁଲେରିଆ କହିଛନ୍ତି, ଏହା ଏକ ଅନ୍ତରୀଣ ରିପୋର୍ଟ। ‌ତେବେ ହସ୍ପିଟାଲ୍‌ ମାନଙ୍କରେ ଅକ୍ସିଜେନ୍‌ ଆବଶ୍ୟକତା ପରିସ୍ଥିତି ଅନୁଯାୟୀ ବଦଳିଥା‌ଏ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି କହିଛନ୍ତି, ଯଦି ଅକ୍ସିଜେନ୍‌ ପାଇଁ ଲଢ଼େଇ ଶେଷ ହୋଇଛି, ତା’ହେଲେ ଏବେ ଆମେ ଏକାଠି କାମ କରିପାରିବା । ଫଳରେ ତୃତୀୟ ଲହରରେ କେହି ଅକ୍ସିଜେନ୍‌ ଅଭାବ ଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ‌କେଜ୍ରିୱାଲ୍‌ କହିଛନ୍ତି, ଦ୍ବିତୀୟ ଲହରରେ ଉତ୍କଟ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଥିଲା। ଯଦି ଆମେ ପରସ୍ପର ମଧରେ ଲଢ଼େଇ କରିବା ତେବେ କରୋନା ଜିତିଯିବ। କିନ୍ତୁ ଯଦି ଆମେ ଏକାଠି ଲଢ଼ିବା ତେବେ ଦେଶ ଜିତିବ ବୋଲି କେଜ୍ରିୱାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର