ସାଇବର ଅପରାଧୀଙ୍କୁ ସାବାଡ଼ କରିବାକୁ ଦିଲ୍ଲୀ ପୁଲିସ-ଟ୍ରୁକଲର ମଧ୍ୟରେ ଚୁକ୍ତିନାମା

ନୂଆଦିଲ୍ଲୀ: ଏବେ ଦିନକୁ ଦିନ ସାଇବର ଠକେଇର ସଂଖ୍ୟା ବଢ଼ିବାରେ ଲାଗିଛି | ସାଇବର ଠକମାନେ ଫୋନ କଲ କରି ଲୋକଙ୍କଠାରୁ ଓଟିପି ହେଉ ବା ଲିଙ୍କ ମାଧ୍ୟମରେ ଟଙ୍କା ଲୁଟିନେଉଛନ୍ତି | ବିଶେଷ କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ ଆକାଉଣ୍ଟ-ପାନ କାର୍ଡ ଲିଙ୍କ ହେଉ ବା ଏଟିଏମ ପିନ ଅପଡେଟ କହି ଟଙ୍କା ଲୁଟିନେଉଛନ୍ତି | ଆଉ ଏହାକୁ ମୁକାବିଲା କରିବାକୁ ଏବେ ଟ୍ରୁକଲରର ସହଯୋଗରେ ରାଜଧାନୀ ଦିଲ୍ଲୀରେ ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ ଦିଲ୍ଲୀ ପୁଲିସ ନୂଆ ରଣନୀତି ପ୍ରସ୍ତୁତ କରିଛି | ମଙ୍ଗଳବାର ଦିନ ଦିଲ୍ଲୀ ପୁଲିସ ଏଥିପାଇଁ ଟ୍ରୁକଲର ଇଣ୍ଡିଆ ସହିତ ଚୁକ୍ତିନାମା ସ୍ଵାକ୍ଷର କରିଛି । ଏହି ଚୁକ୍ତିନାମା ଅନୁଯାୟୀ, ଟ୍ରୁକଲର ସାଇବର ଅପରାଧ ବିରୋଧରେ ଡିଜିଟାଲ ସଚେତନତାକୁ ପ୍ରୋତ୍ସାହିତ କରିବ ଏବଂ ଦିଲ୍ଲୀ ପୁଲିସ ଅଧିକାରୀଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟ କରିବ। ଏହି ଚୁକ୍ତିନାମା ଅନୁଯାୟୀ, ଟ୍ରୁକଲର୍ ଦିଲ୍ଲୀବାସୀଙ୍କ ଫୋନରେ ଦିଲ୍ଲୀ ପୁଲିସର ଅଫିସିଆଲ ନମ୍ବର ଦେଖାଇବ |

ଏହା ସହ ସମସ୍ତ ଯାଞ୍ଚ ହୋଇଥିବା ନମ୍ବର ଉପରେ ସବୁଜ ବ୍ୟାଜ୍ ଏବଂ ସରକାରୀ ସେବା ପାଇଁ ବ୍ୟବହୃତ ନମ୍ବରରେ ବ୍ଲୁ ଟିକ୍ ମାର୍କ ଦେଖାଇବ। ଏହାଦ୍ୱାରା ଲୋକମାନଙ୍କୁ ଯାଞ୍ଚ ହୋଇଥିବା ନମ୍ବର ଚିହ୍ନଟ କରିବା ସହଜ ହୋଇଯିବ। ଏହା ଦ୍ୱାରା ଲୋକମାନେ ସହଜରେ ଜାଣିପାରିବେ ଯେ ଆସିଥିବା ଫୋନ କଲଟି ବାସ୍ତବରେ ସରକାରୀ କାର୍ଯ୍ୟାଳୟରୁ ଆସିଛି ନା ନାହିଁ | ଏହା ଦିଲ୍ଲୀରେ ସାଇବର ଠକେଇ ହ୍ରାସ କରିବାରେ ସାହାଯ୍ୟ କରିବ | ସେହିପରି ପୁଲିସ ମଧ୍ୟ ଟ୍ରୁକଲର ଇଣ୍ଡିଆ ସହିତ ସେସବୁ ନମ୍ବର ସେୟାର କରିବ, ଯେଉଁ ସବୁ ନମ୍ବର ନାମରେ ଠକେଇ ଏବଂ ଫୋନ କଲ କରି ମାନସିକ ନିର୍ଯାତନା ଅଭିଯୋଗ ରହିଛି |

ସମ୍ବନ୍ଧିତ ଖବର