କମ୍ପ୍ୟୁଟରରୁ ଭାଇରସ ସଫା କରିବାକୁ କହି ଠକୁଥିବା ୧୭ ସାଇବର ଠକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସାଇବର ସେଲ୍ ଏକ ନକଲି କଲ୍ ସେଣ୍ଟର ଉପରେ ଚଢ଼ାଉ କରି ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗିରଫ କରିଛି । ପୁଲିସର କହିବା ଅନୁଯାୟୀ ଏହି ଠକମାନେ ବିଦେଶରେ ଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଥିଲେ। ସେମାନେ ଦୁନିଆର ଯେକୌଣସି ବ୍ୟକ୍ତିଙ୍କର କମ୍ପ୍ୟୁଟରକୁ ଏକ ପପ୍-ଅପ୍ ପଠାଉଥିଲେ ଏବଂ ତା’ପରେ ସେହି ବ୍ୟକ୍ତିଙ୍କୁ ଫୋନ୍ କରି କମ୍ପ୍ୟୁଟରରେ ଏକ ଭାଇରସ୍ ଆକ୍ରମଣ ହୋଇଥିବାର କହୁଥିଲେ |

ଯଦି ଏହାର ଶୀଘ୍ର ସମାଧାନ ନ କରାଯାଏ, ତେବେ କମ୍ପ୍ୟୁଟରର ଡାଟା ସହ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ମଧ୍ୟ ଚୋରି ହୋଇପାରେ ବୋଲି କହୁଥିଲେ |ଯଦି ସେହି ବ୍ୟକ୍ତି ଏହି ଠକମାନଙ୍କ କଥାରେ ବିଶ୍ୱାସ କରୁଥିଲେ ତେବେ ଭାଇରସ ସଫା କରିବା ବାହାନାରେ ପ୍ରଚୁର ଅର୍ଥ ଲୁଟୁଥିଲେ | ଏହି ଠକେଇ ବ୍ୟବସାୟ ପଶ୍ଚିମ ଦିଲ୍ଲୀର ରାଜୋରୀ ଗାର୍ଡେନରୁ ଚାଲିଥିବାବେଳେ ନକଲି କଲ ସେଣ୍ଟର ବିଷୟରେ ଦିଲ୍ଲୀ ପୁଲିସ ଏକ ଅଭିଯୋଗ ପାଇଥିଲା |

ଏହା ପରେ ଦିଲ୍ଲୀ ପୁଲିସର ସାଇବର ସେଲ କେଉଁ କମ୍ପ୍ୟୁଟରରୁ ପପ୍ ଅପ୍ ପଠାଯାଇଥିଲା ସେହି ବିଷୟରେ ତଦନ୍ତ କରିଥିଲା | ଆଉ ଶେଷରେ ପୁଲିସ ଏହି ରାକେଟର ମାଷ୍ଟରମାଇଣ୍ଡ ସାହିଲ ଦିଲୱାରୀ ସମେତ ୧୭ ଜଣଙ୍କୁ ଗିରଫ କରିଥିଲା ଓ ୨୦ଟି କମ୍ପ୍ୟୁଟର ମଧ୍ୟ ଜବତ କରିଥିଲା |

ସମ୍ବନ୍ଧିତ ଖବର