ସାବାସ ଦିଲ୍ଲୀ ପୋଲିସ, ବର୍ଷକ ମଧ୍ୟରେ ୧୧ ଆତଙ୍କୀ ଆକ୍ରମଣକୁ କଲେଣି ପଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଆଣ୍ଟି ଟେରର ୟୁନିଟ ଗତ ବର୍ଷକ ମଧ୍ୟରେ ୧୧ଟି ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଇଛନ୍ତି | ସ୍ପେଶାଲ ସେଲ ପାଖାପାଖି ୧୧ଟି ବଡ ଅପରେସନ କରିଥିଲା | ଯାହା ମଧ୍ୟରୁ ୪ଟି ଅପରେସନ ଗତ ୪ ମାସ ମଧ୍ୟରେ କରାଯାଇଛି | ଦିଲ୍ଲୀ ପୁଲିସର ଏହି ଅପରେସନ ଦିଲ୍ଲୀ ଯାଏଁ କେବଳ ସୀମିତ ନଥିଲା ବରଂ ଜାମ୍ମୁ କାଶ୍ମୀର,ନେପାଳ ସୀମା ଓ ପୂର୍ବ ଭାରତ ଯାଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରାଯାଇଥିଲା |

ଦିଲ୍ଲୀ ପୁଲିସର ଜଣେ ଅଧିକାରୀ କହିଛନ୍ତି ଭାରତ ମଧ୍ୟରେ ଯେତେସବୁ ଆତଙ୍କବାଦୀ ଆକ୍ରମଣ କରାଯିବାକୁ ଯୋଜନା କରାଯାଇଛି ସେସବୁକୁ ଏହି ବର୍ଷକ ମଧ୍ୟରେ ପଣ୍ଡ କରିଦିଆଯାଇଛି | ଗଣତନ୍ତ୍ର ଦିବସର କିଛି ଦିନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ଜେସ ଏ ମହମ୍ମଦର ଆତଙ୍କବାଦୀ ଅବଦୁଲ ଲତିଫ ଗନୀ ଓ ହୀଲାଲ ମହମ୍ମଦ ଭଟ୍ଟକୁ ଧରାଯାଇଥିଲା | ଏହି ଦୁଇ ଆତଙ୍କବାଦୀ ରାଜଧାନୀର କୌଣସି ଭିଡ ଅଂଚଳରେ ଗ୍ରେନେଡ଼ ଦ୍ୱାରା ଆକ୍ରମଣ କରିବାର ଯୋଜନା କରିଥିଲେ |

ସେହିପରି ଗତ ଡିସେମ୍ବର ମାସରେ ଦିଲ୍ଲୀ ପୁଲିସ ଓ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ଅଭିଯାନରେ ଇସଲାମିକ ଷ୍ଟେଟର ତିନି ଆତଙ୍କବାଦୀ ଧରାପଡ଼ିଥିଲେ | ଜାନୁୟାରୀ ମାସରେ ଦିଲ୍ଲୀ ପୋଲିସ ସିମି ଆତଙ୍କବାଦୀ ଗୋଷ୍ଠୀର ଅବଦୁଲ ସୁଭାନ କ୍ୟୁରେସି ଓ ଇଣ୍ଡିଆନ ମୁଜାହିଦିନ ସଂଗଠନର ୱାରୀଯ ଖାନକୁ ଗିରଫ କରିଥିଲା | ବଡ କଥା ହେଉଛି ଯେ ପୁଣି ଥରେ ଭାରତରେ ଇଣ୍ଡିଆନ ମୁଜାହିଁଦ୍ଦିନ ଏହାର ପ୍ରଭାବ ବିସ୍ତାର କରିବାକୁ ଚାଁହୁଥିବାବେଳେ ଏହାକୁ ଦିଲ୍ଲୀ ପୋଲିସ ପଣ୍ଡ କରିଦେଇଥିଲା |

ସମ୍ବନ୍ଧିତ ଖବର