ତେଜିନ୍ଦର ବଗ୍ଗା ଗିରଫଦାରି ମାମଲାରେ ନାଟକୀୟ ମୋଡ: ପଂଜାବ ପୁଲିସ୍ ଅପଦସ୍ଥ, ଦିଲ୍ଲୀ ପୁଲିସ ସହ ଫେରୁଛନ୍ତି

ନୂଆଦିଲ୍ଲୀ : ପଂଜାବ ପୁଲିସ ଦ୍ବାରା ବିଜେପି ନେତା ତେଜିନ୍ଦର ପାଲ ସିଂ ବଗ୍ଗା ଗିରଫଦାରି ମାମଲାରେ ଏକ ନାଟକୀୟ ମୋଡ଼ ଆସିଛି । ପଂଜାବ ପୁଲିସ ତାଙ୍କୁ ଗିରଫ କରି ସଡ଼କ ପଥରେ ମୋହାଲି ନେଇଯାଉଥିବାବେଳେ ହରିୟାଣାଠାରେ ସ୍ଥାନୀୟ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହାପରେ ହରିୟାଣା ପୁଲିସ କୁରୁକ୍ଷେତ୍ରଠାରେ ତାଙ୍କୁ ଦିଲ୍ଲୀ ପୁଲିସ ହାତରେ ସମର୍ପଣ କରିବା ପରେ ଦିଲ୍ଲୀ ପୁଲିସ ତାଙ୍କୁ ନେଇ ଦିଲ୍ଲୀ ଫେରୁଛି । ଏହା ଫଳରେ ପଂଜାବ ପୁଲିସକୁ ଅପଦସ୍ଥ ହେବାକୁ ପଡ଼ିଛି।

ଆଜି ସକାଳେ ପଂଜାବ ପୁଲିସ ବଗ୍ଗାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଗିରଫ କରିଥିଲା । ତେବେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର ନକରି ପଂଜାବ ନିଆଯାଉଥିବାରୁ ଦିଲ୍ଲୀ ପୁଲିସ ଏକ ଅପହରଣ ମାମଲା ରୁଜ୍ଜୁ କରିଥିଲା । ଏ ସଂପର୍କରେ ହରିୟାଣାରେ ଗୃହମନ୍ତ୍ରୀ ଅନୀଲ ଭିଜ କହିଥିଲେ ଯେ ବଗ୍ଗାଙ୍କ ଅପହରଣ ସଂପର୍କରେ ଦିଲ୍ଲୀ ପୁଲିସରୁ ସୂଚନା ମିଳିଛି ଓ ଏନେଇ ହରିୟାଣା ପୁଲିସକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ପଂଜାବ ପୁଲିସ ତାଙ୍କୁ ହରିୟାଣା ଦେଇ ମୋହାଲି ନେଉଥିବା ବେଳେ ହରିୟାଣା ପୁଲିସ ତାଙ୍କୁ ଅଟକାଇ ଥିଲା ଓ ଦିଲ୍ଲୀ ପୁଲିସକୁ ଖବର ଦେଇଥିଲା । ଦିଲ୍ଲୀ ପୁଲିସ କୁରୁକ୍ଷେତ୍ରଠାରେ ପହଞ୍ଚିବା ପରେ ହରିୟାଣା ପୁଲିସ ବଗ୍ଗାଙ୍କୁ ହସ୍ତାନ୍ତର କରିଥିଲା। ଏହା ପରେ ବଗ୍ଗାଙ୍କୁ ନେଇ ଦିଲ୍ଲୀ ପୁଲିସ ଦିଲ୍ଲୀ ଫେରୁଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଆପତ୍ତିଜନକ ବୟାନ ପାଇଁ ବଗ୍ଗାଙ୍କ ବିରୋଧରେ ପଂଜାବରେ ମାମଲା ରୁଜ୍ଜୁ ହୋଇଛି ।

ସମ୍ବନ୍ଧିତ ଖବର