ଜେଏନୟୁ ହିଂସାକାଣ୍ଡ : ଦିଲ୍ଲୀ ପୁଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଖୁବଶୀଘ୍ର ଚିହ୍ନଟ ହେବେ ମୁଖାପିନ୍ଧା ଦୁର୍ବୃତ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଗତ ରବିବାର ରାତିରେ ହୋଇଥିବା ହିଂସାକାଣ୍ଡର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ହାତରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି । ଏହି ପ୍ରମାଣ ମାଧ୍ୟମରେ ମୁଖାପିନ୍ଧା ଦୁର୍ବୃତ୍ତ ମାନଙ୍କୁ ଚିହ୍ନଟ କରିହେବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ତେବେ କେଉଁ ପ୍ରମାଣ ଲାଗିଛି ସେ ସଂପର୍କରେ ପୁଲିସ ପକ୍ଷରୁ ନୀରବତା ଅବଲମ୍ବନ କରାଯାଉଛି । କାରଣ ସଂପୃକ୍ତ ଅଭିଯୁକ୍ତମାନଙ୍କ ସଂପର୍କିତ ତଥ୍ୟ ପ୍ରଘଟ ହେଲେ ଜେଏନୟୁ କ୍ୟାମ୍ପସରେ ପୁଣି ହିଂସା ବ୍ୟାପିବା ଆଶଙ୍କା ରହିଛି । ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏବେ କ୍ୟାମ୍ପର ସ୍ଥିତି ନିୟନ୍ତ୍ରଣରେ ରହିଛି । ତେବେ ସେଠାରେ ଏବେ ବି ପୁଲିସ ମୁତୟନ ରହିଛନ୍ତି । ଏହାଛଡ଼ା ସାଧା ପୋଷାକରେ ମଧ୍ୟ ପୁଲିସ କର୍ମଚାରୀ କ୍ୟାମ୍ପସ ଭିତରେ ବୁଲୁଛନ୍ତି ।

ଏହି ମାମଲାର ତଦନ୍ତ ପାଇଁ ଦୁଇଦିନ ତଳେ ଦିଲ୍ଲୀ ପୁଲିସ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । ଦିଲ୍ଲୀ ପୁଲିସର ଜଣେ ଯୁଗ୍ମ କମିଶନରଙ୍କ ନେତୃତ୍ୱରେ ଏହି ତଦନ୍ତକାରୀ ଦଳ ଗଠନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ରବିବାର ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି ଓ ଲୁହାଛଡ଼ ସହ ଜେଏନୟୁରେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପାଇଁ ବାମପନ୍ଥୀ ଛାତ୍ରସଂଗଠନ ଏସଏଫଆଇ ଓ ବିଜେପି ସଂପର୍କିତ ଛାତ୍ରସଂଘ ଏବିଭିପି ପରସ୍ପରକୁ ଦୋଷ ଦେଉଛନ୍ତି ।

ସମ୍ବନ୍ଧିତ ଖବର