ବିରୋଧ କରୁଛ, କଦଳୀଟିଏ ଖାଇଦିଅ: ଅଟକ ବିକ୍ଷୋଭକାରୀଙ୍କୁ କଦଳୀ ବାଣ୍ଟିଲା ପୁଲିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶ ସାରା ବିକ୍ଷୋଭ ଜାରି ରହିଛି | ଦିଲ୍ଲୀରେ ମଧ୍ୟ ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ବିକ୍ଷୋଭ କରୁଛନ୍ତି | ପୁଲିସ ପକ୍ଷରୁ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି | ଯେଉଁମାନଙ୍କୁ ଦିଲ୍ଲୀ ପୁଲିସ ପକ୍ଷରୁ ଅଟକ ରଖାଯାଇଛି ସେମାନଙ୍କ ପାଇଁ ଅସ୍ଥାୟୀ ଜେଲର ବ୍ୟବସ୍ଥା କରାଯାଇଥିବାବେଳେ ଜଳଖିଆରେ କଦଳୀ ଖାଇବାକୁ ଦିଆଯାଉଛି | ଅଟକ ବିକ୍ଷୋଭକାରୀଙ୍କୁ ଦିଲ୍ଲୀର ସୁରଜମଲ ଷ୍ଟାଡିୟମକୁ ନିଆଯାଇଥିବାବେଳେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ରହିଛନ୍ତି | ଯେଉଁମାନଙ୍କୁ ଜଳଖିଆ ପାଇଁ ପୁଲିସ କଦଳୀ ଦେଇଛି |

ଏଠାରେ ସୂଚନା ଥାଉ କି ରାଜଧାନୀ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଅବ୍ୟାହତ ରହିଛି । ଏହାକୁ ଦୃଷ୍ଟିରେ ରଖି ସହରର କେତେକ ସ୍ଥାନରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ପୁଲିସ ପକ୍ଷରୁ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତଙ୍କୁ ଅଟକ ରଖାଯାଇଛି ।

ଏସବୁ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀର ମଣ୍ଡିହାଉସ, ସିଲମପୁର,ଜାଫରବାଦ,ମୁସ୍ତାଫାବାଦ,ଜାମିଆ ନଗର,ସାହିନ ବାଗ ଓ ବାଓ୍ଵାନା ଆଦି ଅଞ୍ଚଳରେ ମୋବାଇଲ କଲ ଓ ଏସଏମଏସ ସେବାକୁ ବନ୍ଦ ରଖାଯାଇଛି । ନାଗରିକତା ଆଇନକୁ ବିରୋଧ କରି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତ ୧୩ ତାରିଖରେ ରାସ୍ତାରେ ପ୍ରବଳ ବିରୋଧ ପ୍ରଦର୍ଶନ ଓ ହିଂସାକାଣ୍ଡ କରିବା ପରେ ପୁଲିସ କ୍ୟାମ୍ପସ ଭିତରେ ପ୍ରବେଶ କରି ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ଏହାପରେ ଦିଲ୍ଲୀ ପୁଲିସର ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ |

ସମ୍ବନ୍ଧିତ ଖବର