ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଶପଥପାଠ ସମୟରେ ବୁଲୁଥିବା ରହସ୍ୟମୟ ପ୍ରାଣୀର ପରିଚୟ ଦେଲା ପୁଲିସ । ଗତ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ପାଠ ସମାରୋହରେ ପଡ଼ୋଶୀ ଦେଶଗୁଡ଼ିକର ମୁଖ୍ୟମାନଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଉପସ୍ଥିତ ରହିଥିଲେ।

Advertisment

ସମସ୍ତ ଅତିଥିଙ୍କ ନଜର ମନ୍ତ୍ରୀମାନଙ୍କ ଶପଥ ପାଠ ଉପରେ ଥିଲା। ଏହି ସମୟରେ ରାଷ୍ଟ୍ରପତି ଭବନରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୀ ଯାଇଥିଲା। ଭିଡିଓରେ ମନ୍ତ୍ରୀଙ୍କ ଶପଥପାଠ ସମୟରେ ରାଷ୍ଟ୍ରପତି ଭବନର କରିଡରରେ ଏକ ରହସ୍ୟଜନକ ପ୍ରାଣୀ ବୁଲୁଥିବା ଦେଖିବାକୁ ମିଳିଥିଲା। କିଏ ଏହି ପ୍ରାଣୀକୁ ବିଲେଇ ବୋଲି କହୁଥିବା ବେଳେ ଆଉ କେହି ଏହାକୁ ବାଘ ଓ କୁକୁର ବୋଲି କହୁଥିଲେ। ହେଲେ ଏବେ ଦିଲ୍ଲୀ ପୁଲିସ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇ ପ୍ରାଣୀର ପରିଚୟ ଦେଇଛି।

ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ, "କିଛି ମିଡିଆ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହର ଲାଇଭ ଟେଲିକାଷ୍ଟ ସମୟରେ କଏଦ ହୋଇଥିବା ଏକ ପ୍ରାଣୀର ଭିଡିଓ ଛାଡ଼ି ଏହାକୁ ଏକ ବଣୁଆ ପ୍ରାଣୀ ବୋଲି ଦାବି କରିଥିଲେ। ହେଲେ ଏଥିରେ କୌଣସି ସତ୍ୟତା ନାହିଁ। ଭିଡିଓ‌ରେ ନଜର ଆସିଥିବା ପ୍ରାଣୀଟି ରାଷ୍ଟ୍ରପତି ଭବନର ବିଲେଇ ଥିଲା।"