୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଗୁରୁବାରଦିନ ୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ୧୨ଟି ନୂଆ ଚାର୍ଜସିଟ ଦାଖଲ କରିଛି । ଏମାନେ ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ । ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଅର୍ଚ୍ଚନା ବେନିଓ୍ଵାଲାଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି । ଜୁନ ୨୫ରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି । ପୂର୍ବରୁ ଦିଲ୍ଲୀ ପୁଲିସ ୩୭୪ ବିଦେଶୀଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲା । ଫଳରେ ଏପର୍ଯ୍ୟନ୍ତ ମୋଟ ୯୧୫ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ୫୪୧ ବିଦେଶୀଙ୍କ ମଧ୍ୟରୁ ୪୧୪ ଜଣ ଇଣ୍ଡୋନେସିଆରୁ ଆସିଥିବାବେଳେ ୮୫ ଜଣ କିରଗୀଜସ୍ଥାନ ଓ ୪୨ ଜଣ ମାଲେସିଆର ନାଗରିକ ବୋଲି ଜଣାଯାଇଛି ।

ସେମାନଙ୍କ ବିରୁଦ୍ଧରେ ଭିସା ଆଇନ, ଫରେନର୍ସ ଆକ୍ଟ, ଏପଡେମିକ ଆକ୍ଟ ଆଦିରେ ମାମଲା ରୁଜ୍ଜୁ ହୋଇଛି । ଏହି ବିଦେଶୀମାନେ ପର୍ଯ୍ୟଟନ ଭିସାରେ ଭାରତକୁ ଆସିଥିଲେ ମଧ୍ୟ ଧର୍ମ ପ୍ରଚାର କାମରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଏହା ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟରେ ଦର୍ଶାଇଛି । ଏହି ଆଇନ ଅନୁସାରେ ପର୍ଯ୍ୟଟନ ଭିସାରେ ଆସୁଥିବା ଲୋକମାନେ କେବଳ ଭ୍ରମଣ, ବନ୍ଧୁ ପରିଜନଙ୍କୁ ଭେଟିବା, ସ୍ପଳ୍ପ ମିଆଦି ଚିକିତ୍ସା ଆଦି କରିପାରିବେ । କିନ୍ତୁ ସେମାନେ ଧର୍ମପ୍ରଚାର, କୌଣସି ପ୍ରକାରର ଆନ୍ଦୋଳନରେ ଯୋଗ ଦେଇପାରିବେ ନାହିଁ ।

ସମ୍ବନ୍ଧିତ ଖବର