ସ୍ପଷ୍ଟ କଲା ଦିଲ୍ଲୀ ପୁଲିସ: ଗ୍ରେଟାଙ୍କ ବିରୋଧରେ ନୁହେଁ ସେ ଟୁଇଟ୍ କରିଥିବା ଟୁଲକିଟର ନିର୍ମାତା ବିରୋଧରେ ଏତଲା ରୁଜୁ ହୋଇଛି

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିଙ୍କ କେତେକ ଟ୍ବିଟ୍‌ ଅନ୍ତର୍ଜାତୀୟସ୍ତରରେ ହଇଚଇ ସୃଷ୍ଟି କରିଥିଲା। ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ଭାରତରେ ଅସ୍ଥିରତା ସୃଷ୍ଟି କଲାଭଳି ଟ୍ବିଟ୍‌ କରିଥିଲେ। ଗ୍ରେଟା ଏଭଳି ଟୁଇଟ କରିଥିବାରୁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ନେଇ କିଛି ସମୟ ତଳେ ଖବର ମିଳିଥିଲା। ହେଲେ ଏବେ ଗ୍ରେଟାଙ୍କ ବିରୋଧରେ କୌଣସି ଏତଲା ରୁଜୁ କରାଯାଇ ନଥିବା ସ୍ପଷ୍ଟ କରିଛି ଦିଲ୍ଲୀ ପୁଲିସ।

ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିସନର୍ ପ୍ରବୀର ରଂଜନ କହିଛନ୍ତି ଯେ, ଆମେ ଏତଲାରେ କାହାର ନାମ ରଖି ନାହୁଁ। କେବଳ ‘ଟୁଲକିଟ’ ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି, ଯାହା ଅନୁସନ୍ଧାନର ବିଷୟ ଏବଂ ଦିଲ୍ଲୀ ପୁଲିସ ଏହାର ତଦନ୍ତ କରିବ।

ସୂଚନା ମୁତାବକ, ଗତକାଲି ଗ୍ରେଟା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିବା ସହ ଏକ ଟୁଲକିଟର ଲିଙ୍କ ମଧ୍ୟ ଟୁଇଟ କରିଥିଲେ। ସେ ଟୁଇଟ୍ କରିଥିବା ଟୁଲକିଟକୁ ଅନ୍ୟ ଲୋକମାନେ ମଧ୍ୟ ସେୟାର କରିଥିବା ଦେଖାଯାଇଛି। ଟୁଲକିଟରେ ଭାରତ ସରକାରଙ୍କ ବିଷୟରେ ଭୁଲ ତଥ୍ୟ ଦିଆଯିବା ସହ ଚାଷୀ ଆନ୍ଦୋଳନ ବିଷୟରେ ମଧ୍ୟ ଭୁଲ ସୂଚନା ଦିଆଯାଇଛି। ତେବେ ଏହି ଟୁଲକିଟକୁ ଯିଏ ତିଆରି କରିଛି, କେବଳ ତା’ ବିରୋଧରେ ଏତଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ଗ୍ରେଟାଙ୍କ ବିରୋଧରେ କୌଣସି ଏତଲା ରୁଜୁ ହୋଇନଥିବା ସ୍ୱତନ୍ତ୍ର କମିସନର୍ (ସିପି) ପ୍ରବୀର ରଂଜନ ସ୍ପ‌ଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର