ଜେଏନୟୁ ହିଂସାକାଣ୍ଡ : ଦିଲ୍ଲୀ ପୁଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଗତ ରବିବାର ରାତିରେ ହୋଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଦିଲ୍ଲୀ ପୁଲିସର ଜଣେ ଯୁଗ୍ମ କମିଶନରଙ୍କ ନେତୃତ୍ୱରେ ଏହି ତଦନ୍ତକାରୀ ଦଳ ଗଠନ କରାଯାଇଛି ।
ଦିଲ୍ଲୀ ପୁଲିସର ମୁଖପାତ୍ର ରନ୍ଧାଓ୍ଵା ମନଦୀପ ରନ୍ଧାଓ୍ଵା କହିଛନ୍ତି ଯେ ଏହି ତଦନ୍ତକାରୀ ଦଳ ଇତି ମଧ୍ୟରେ ନିଜର ତଦନ୍ତ ଆରମ୍ଭ ହୋଇଯାଇଛି । ଏହି ଘଟଣା ସଂପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟପ୍ରମାଣ ହସ୍ତଗତ ହୋଇଛି । ଯଥାଶୀଘ୍ର ତଦନ୍ତ ଶେଷ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରବିବାରଦିନ ହୋଇଥିବା ଏହି ଘଟଣାରେ ମୋଟ ୩୪ ଜଣ ବ୍ୟକ୍ତି ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ସେମାନଙ୍କୁ ଡାକ୍ତରଖାନାରୁ ଛାଡ଼ିଦିଆଯାଇଛି ।
ଅନ୍ୟପକ୍ଷରେ ରବିବାର ହିଂସା ସଂପର୍କରେ ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଜେଏନୟୁର ଅଧିକାରୀମାନଙ୍କ ସହ ଆଲୋଚନା କରିଛି । ତେବେ ଏଥିରେ ଜେଏନୟୁ କୁଳପତି ଜଗଦୀଶ କୁମାର ଯୋଗ ଦେଇନଥିଲେ ।
ସୂଚନାଯୋଗ୍ୟ ଯେ ରବିବାର ରାତିରେ କେତେକ ମୁଖାପିନ୍ଧା ଦୁର୍ବୁତ୍ତ ଲାଠି ଓ ଲୁହାଛଡ଼ ସହ ଜେଏନୟୁରେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପାଇଁ ବାମପନ୍ଥୀ ଛାତ୍ରସଂଗଠନ ଏସଏଫଆଇ ଓ ବିଜେପି ସଂପର୍କିତ ଛାତ୍ରସଂଘ ଏବିଭିପି ପରସ୍ପରକୁ ଦୋଷ ଦେଉଛନ୍ତି ।

ସମ୍ବନ୍ଧିତ ଖବର