ଆମେ ନୁହେଁ, ଦିଲ୍ଲୀ ପୁଲିସ ରାସ୍ତା ଅବରୋଧ କରିଛି : କୃଷକ ସଂଗଠନ

ନୂଆଦିଲ୍ଲୀ : ରାସ୍ତା ଅବରୋଧ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟର ଉତ୍ତର ରଖିଛି ଭାରତୀୟ କିଷାନ ୟୁନିୟନ (ବିକେୟୁ) । ସଂଗଠନ ପକ୍ଷରୁ କୁହାଯାଇଛି ଯେ ସେମାନେ ନୁହେଁ ଦିଲ୍ଲୀ ପୁଲିସ ହିଁ ଘାଜିପୁର ସୀମାଠାରେ ୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛି ।

ତେବେ ଆଜି କୃଷକ ସଂଗଠନଗୁଡ଼ିକ ରାସ୍ତା ଉପରେ ଥିବା କେତେକ ତମ୍ବୁକୁ ହଟାଇଦେବା ସହ ଟ୍ରାକ୍ଟର ହଟାଇଦେଇଛନ୍ତି । ଏହା ସହିତ ରାକେଶ ଟିକାୟତଙ୍କ ନେତୃତ୍ବରେ କୃଷକ ସଂଗଠନଗୁଡ଼ିକ ପୁଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଜି ସୁପ୍ରିମକୋର୍ଟ କହିଥିଲେ ଯେ କୃଷି ଆଇନ ସମ୍ପର୍କିତ ମାମଲା ବିଚାରାଧିନ ଥିଲେ ମଧ୍ୟ କୃଷକମାନେ ଆନ୍ଦୋଳନ କରିପାରିବେ, କିନ୍ତୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିପାରିବେ ନାହିଁ । ଏ ସମ୍ପର୍କରେ ଆସନ୍ତା ତିନି ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ କୃଷକ ୟୁନିୟନଗୁଡ଼ିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନୋଇଡାର ଜଣେ ବ୍ୟକ୍ତି ଏହି ପିଟିସନ ଦାଏର କରିଛନ୍ତି । ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ସେ ଆବେଦନ କରିଛନ୍ତି ।  ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ ତାରିଖରେ ହେବ ।

ସମ୍ବନ୍ଧିତ ଖବର