ନୂଆଦିଲ୍ଲୀ: ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍‌ ଏମ୍‌ ନରବଣେଙ୍କ ଆତ୍ମଜୀବନୀକୁ ନେଇ ବଡ଼ଧରଣର ବିବାଦ ପରେ ଦିଲ୍ଲୀ ପୁଲିସ ବୁଧବାର ପବ୍ଲିସର୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ ନୋଟିସ ଜାରି କରିଛି। ପୁସ୍ତକ ପ୍ରକାଶ ପାଇନଥିବାବେଳେ ଏହା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିକଟରେ କିପରି ପହଞ୍ଚିଲା ବୋଲି ଗଣମାଧ୍ୟମରେ ପ୍ରଶ୍ନ ଉଠିବା ପରେ ଦିଲ୍ଲୀ ପୁଲିସ ଆକ୍ସନ ମୋଡକୁ ଆସିଯାଇଛି। ଏହାପୂର୍ବରୁ ଏକ ଏତଲା ରୁଜୁ କରାଯାଇଥିଲା। ଏହାର ୨୪ ଘଣ୍ଟା ମଧ୍ୟ‌ରେ ପେଙ୍ଗୁଇନ ପକ୍ଷରୁ ଦୁଇଟି ସ୍ପଷ୍ଟୀକରଣ ଦିଆଯାଇଥିଲା।

Advertisment

୨୦୨୦ ମସିହାରେ ଭାରତ-ଚୀନ ମୁହାଁମୁହିଁ ହୋଇଥିଲେ...

ଅଧିକାରୀଙ୍କ ଅନୁଯାୟୀ, ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପୁସ୍ତକ ଲିକ୍ ନେଇ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ କରିବା ପରେ, ନୋଟିସରେ ଅପ୍ରକାଶିତ ଆତ୍ମଜୀବନୀ ସହିତ ଜଡିତ ଅନେକ ପ୍ରଶ୍ନର ଉତ୍ତର ଲୋଡ଼ାଯାଇଛି ଏବଂ ପ୍ରକାଶକଙ୍କୁ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ନରବଣେଙ୍କ ଆତ୍ମଜୀବନୀ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’ରେ ରହିଥିବା ତଥ୍ୟକୁ ରାହୁଲ ଗାନ୍ଧୀ ଲୋକସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ପୁସ୍ତକକୁ ଆଧାର କରି ରାହୁଲ କହିଥିଲେ ଯେ, ୨୦୨୦ ମସିହାରେ ଭାରତ-ଚୀନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଚୀନର ଟ୍ୟାଙ୍କ ଭାରତ ଆଡ଼େ ମାଡ଼ି ଆସିୁଥିବାବେଳେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶ ଜାରି ନ କରି ନରବେଣଙ୍କୁ ଯାହା ଠିକ୍‌ ତାହା କର ବୋଲି କହିଥିଲେ। ରାହୁଲ ଗାନ୍ଧୀ ସଂସଦରେ ଏହି ପୁସ୍ତକରୁ ତଥ୍ୟ ରଖୁଥିବାବେଳେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧର ନେତୃତ୍ବ ନେଇ କହିଥିଲେ ଯେ ଅପ୍ରକାଶିତ ପୁସ୍ତକ ସଂସଦରେ ଉପସ୍ଥାପନ କରାଯାଇପାରିବ ନାହିଁ। ବାଚସ୍ପତି ଓମ୍ ବିର୍ଲା ପରବର୍ତ୍ତୀ ସମୟରେ କହିଥିଲେ ରାହୁଲ ଗାନ୍ଧୀ ଅପ୍ରକାଶିତ ପୁସ୍ତକରୁ ଉଦ୍ଧୃତି ଦେଇପାରିବେ ନାହିଁ ଏବଂ ଏହାର ବିଷୟବସ୍ତୁ ପ୍ରାମାଣିକ ନଥିବା କହିଥିଲେ। ପରେ ବିରୋଧୀ ଦଳ ନେତା ପୁସ୍ତକର ଏକ କପି ସଂସଦକୁ ଆଣିବା ସହିତ ଏହାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବେ‌ ବୋଲି କହିଥିଲେ।

ପୁସ୍ତକଟି ଆନୁଷ୍ଠାନିକ ଭାବରେ ପ୍ରକାଶିତ ହୋଇନାହିଁ

ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ଏକ ବିବୃତି ଜାରି କରି ସ୍ପଷ୍ଟ କରିଛି ଯେ, ପୁସ୍ତକଟି ଆନୁଷ୍ଠାନିକ ଭାବରେ ପ୍ରକାଶିତ ହୋଇନାହିଁ ଏବଂ ଏପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରି ଅପେକ୍ଷାରେ ଅଛି। ପ୍ରକାଶକ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଏହି ଆତ୍ମଜୀବନୀର ପିଡିଏଫ୍‌ କିମ୍ବା ବହି ପ୍ରସାରଣ କପିରାଇଟ୍‌ର ଉଲ୍ଲଂଘନ ହେବ। ନରବଣେ ମଧ୍ୟ ପ୍ରକାଶକଙ୍କ ପକ୍ଷ ନେଇ ପୁସ୍ତକ ପ୍ରକାଶ ପାଇନଥିବା କହିଥିଲେ। କିନ୍ତୁ ପୁସ୍ତକ ଆମାଜନରେ ପ୍ରି-ଅର୍ଡ଼ର ପାଇଁ ରଖାଯାଇଥିବା ୨୦୨୩ରେ ନରବଣେଙ୍କ ଦ୍ବାରା କରାଯାଇଥିବା ଏକ ଟ୍ବିଟ୍‌କୁ ରାହୁଲ ଦେଖାଇଥିଲେ। ତେଣୁ ଜେନେରାଲ ନରବଣେ ହୁଅନ୍ତୁ କି ପ୍ରକାଶକ କେହି ତ ମିଛ କହୁଛନ୍ତି ଓ ସେ ସେନାମୁଖ୍ୟଙ୍କ କଥାକୁ ବିଶ୍ବାସ କରିବେ ବୋଲି ରାହୁଲ କହିଥିଲେ। ଏହାପରେ ପେଙ୍ଗୁଇନ୍‌ ସ୍ପ‌ଷ୍ଟୀକରଣ ରଖିଥିଲା କି ବହି କେବଳ ପ୍ରି-ଅର୍ଡ଼ର ପାଇଁ ରଖାଯାଇଥିଲା, ବିକ୍ରି ହୋଇନଥିଲା। ବିବାଦ ତୀବ୍ର ହେବା ସହିତ ଦିଲ୍ଲୀ ପୁଲିସ ଡିଜିଟାଲ୍ ଏବଂ ଅନ୍ୟାନ୍ୟ ଫର୍ମାଟରେ ଆତ୍ମଜୀବନୀର ଅବୈଧ ପ୍ରସାରଣ ଅଭିଯୋଗରେ ଏକ ଏଫଆଇଆର ରୁଜୁ କରିଥିଲା। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ମନଗଢ଼ା କଥା କହିଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

ଆହୁରି ପଢ଼ନ୍ତୁ: WorldCup is possible without Pakistan: ପାକିସ୍ତାନ ବିନା ବିଶ୍ବକପ୍‌ ହୋଇପାରେ, ଭାରତ ବିନା ନୁହେଁ : ହରଭଜନ