ନୂଆଦିଲ୍ଲୀ: ୨୦୦୧ ମସିହାରେ ଭାରତର ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଡିସେମ୍ବର ୧୩ ତାରିଖରେ ଏହା ଉପରେ ଆକ୍ରମଣ କରିବାକୁ ଆମେରିକାର ଖଲିସ୍ତାନୀ ନେତା ଗୁରପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ବାର୍ତ୍ତା ଜାରି କରିଛି। ପନ୍ନୁର ଧମକ ପରେ ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ସଂସଦ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଇନଶୃଙ୍ଖଳା ବିଗିଡ଼ିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ଯେତେବେଳେ ସଂସଦ ଚାଲିଥାଏ, ଆମେ ସତର୍କ ରହିଥାଉ। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଆମେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଉଛୁ ଏବଂ ସମଗ୍ର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୦୦୧ ସଂସଦ ଆକ୍ରମଣର ଦୋଷୀ ଆଫଜଲ ଗୁରୁର ଫଟୋ ଥିବା ଏହି ଭିଡିଓରେ ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସର ମୁଖ୍ୟ ଦାବି କରିଛି ଯେ ନରେନ୍ଦ୍ର ମୋଦୀ ସରକାର ତାକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ଡିସେମ୍ବର ୧୩ରେ ସେ ଏହାର ଜବାବ ଦେବ। ପନ୍ନୁ ଦାବି କରିଛି ଯେ ତା’ର ଏହି ଆକ୍ରମଣ ଭାରତୀୟ ସଂସଦର ମୂଳଦୁଆକୁ ଦୋହଲାଇ ଦେବ।