ହିଂସା ପୂର୍ବରୁ କୃଷକ ନେତାମାନେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ : ପୁଲିସ

ନୂଆଦିଲ୍ଲୀ :  ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପାଇଁ କୃଷକନେତା ମାନେ ଦେଇଥିବା ପ୍ରତିଶ୍ରୁତିକୁ ଭଙ୍ଗ କରିବା ସହ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଦିଲ୍ଲୀ ପୁଲିସ କହିଛି । ଏହି ହିଂସାରେ ସଂପୃକ୍ତ ଲୋକମାନଙ୍କ ଚିହ୍ନଟ କରାଯାଉଛି ଓ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ଏହି ମାମଲାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି ଓ ପ୍ରାୟ ୫୦ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ।

ଗତକାଲି ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ସଂପର୍କରେ ଦିଲ୍ଲୀ ପୁଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସ କମିଶନର ଏସଏନ ଶ୍ରୀବାସ୍ତବ କହିଛନ୍ତି ଯେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ଏହି ଘଟଣା ସଂପର୍କିତ ବିଭିନ୍ନ ଭିଡିଓ ରେକର୍ଡିଂ, ସିସିଟିଭି ଫୁଟେଜ ଆଦିର ଯାଞ୍ଚ କରାଯାଉଛି ଓ ଫେସିଆଲ ରେକଗନିସନ ପ୍ରଯୁକ୍ତି ବ୍ୟବହାର କରି ଦୋଷୀମାନଙ୍କ ଚିହ୍ନଟ କରାଯାଉଛି ।

ସେ କହିଛନ୍ତି ଯେ, ଏହି ଘଟଣାରେ ଦିଲ୍ଲୀ ପୁଲିସର ପ୍ରାୟ ୩୯୪ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଆଇସିୟୁରେ ଅଛନ୍ତି । ଆନ୍ଦୋଳନକାରୀମାନେ ୩୦ଟି ପୁଲିସ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ।

ଅନ୍ୟପକ୍ଷରେ ପାକିସ୍ତାନ ଓ ଅନ୍ୟ କେତେକ ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୩୦୮ଟି ଟ୍ବିଟର ହାଣ୍ଡଲ ମାଧ୍ୟମରେ ଲୋକମାନଙ୍କୁ ଉତ୍ତେଜିତ କରାଯାଉଥିଲା ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର