ଆନ୍ଦୋଳନ ସ୍ଥଳରୁ ବ୍ୟାରିକେଡ୍‌ ହଟାଇଲା ଦିଲ୍ଲୀ ପୁଲିସ

ଏବେ ସଂସଦ ଆଗରେ ଶସ୍ୟ ବିକ୍ରି କରିବୁ: ଟିକାୟତ

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ନେଇ ଦିଲ୍ଲୀ ସୀମାରେ ଦେଖାଦେଇଥିବା ଟ୍ରାଫିକ୍‌ ସଙ୍କଟର ଅବସାନ ଘଟିବାକୁ ଯାଉଛି । ଦିଲ୍ଲୀ ପୁଲିସ ଦୀର୍ଘ ୧୧ ମାସ ପରେ ଟିକିରି ଏବଂ ଗାଜିପୁର ସୀମାରୁ ବ୍ୟାରିକେଡ୍‌ ହଟାଇବା ଆରମ୍ଭ କରିଛି। ଏହା ଯାତ୍ରୀମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ହରିୟାଣା, ପଂଜାବ ଏବଂ ଉତ୍ତରପ୍ରଦେଶର ଆନ୍ଦୋଳନକାରୀ ଚାଷୀମାନେ ରାସ୍ତା ଅବରୋଧ କରିବା ସହ ତୁହାକୁ ତୁହା ଦିଲ୍ଲୀରେ ପ୍ରତିବାଦ କରିବା ପାଇଁ ଯୋଜନା କରୁଥିବାରୁ ଅଣାୟତ୍ତ ସ୍ଥିତି ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଲିସ ବ୍ୟାରିକେଡ୍‌ ଲଗାଇଥିଲା। ଅନ୍ୟପକ୍ଷରେ ଚାଷୀମାନେ ରାସ୍ତା ଅବରୋଧକୁ ବ୍ୟାପକ କରୁଥିବାରୁ ଏହାକୁ ମଧ୍ୟ ନିୟନ୍ତ୍ରଣ କରାଯାଉଥିଲା। ଟିକିରି ଏବଂ ଗାଜିପୁର ସୀମାରେ ଲଗାଯାଇଥିବା ବ୍ୟାରିକେଡ ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିଚାଲିଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୁଲିସ ବ୍ୟାରିକେଡ୍‌ ହଟାଇବା କାର୍ଯ୍ୟ ଆରମ୍ଭ କରିଛି।

ସୁପ୍ରିମକୋର୍ଟ ନିକଟରେ ଦେଇଥିବା ରାୟରେ କହିଥିଲେ ଯେ, କୃଷକମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି କିନ୍ତୁ ସେମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ରାସ୍ତା ବନ୍ଦ କରିପାରିବେ ନାହିଁ। କୋର୍ଟଙ୍କ ଏହି ରାୟ ପରେ ଦିଲ୍ଲୀ ପୁଲିସ ଟିକିରି ଏବଂ ଗାଜିପୁର ସୀମାରୁ ବ୍ୟାରିକେଡ୍‌ ହଟାଇଛି। ତେ‌ବେ ବିକେୟୁ (ଭାରତୀୟ କି‌ଷାନ ୟୁନିଅନ୍‌) ଉତ୍ତରପ୍ରଦେଶ ସଭାପତି ରାଜବୀର ସିଂହ ଜଦୌନ କହିଛନ୍ତି, ଆମେ କୌଣସି ରାସ୍ତା ବନ୍ଦ କରିନାହୁଁ। ଦିଲ୍ଲୀ ପୁଲିସ ବ୍ୟାରିକେଡ୍‌ ରଖିଥିଲା ଏବଂ ଏବେ ଏହାକୁ ହଟାଇ ଦେଇଥିବାରୁ ଆମ ପାଇଁ ସୁବିଧା ହୋଇଛି। ଖୁବ୍‌ଶୀଘ୍ର ରାସ୍ତା ପରିସ୍କାର ‌ହୋଇଗଲେ ଆମେ ଦିଲ୍ଲୀ ଯିବୁ। ଏହା ଆମର ପ୍ରଥମ ଅଧିକାର ବୋଲି ସେ କହିଛନ୍ତି।

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ବ୍ୟାରିକେଡ୍‌ ହଟିଥିବାରୁ ଏଣିକି କୃଷକମାନେ ଶସ୍ୟ ବିକିବାପାଇଁ ସଂସଦ ଯିବେ। ପ୍ରଧାନମନ୍ତ୍ରୀ କହିଥିଲେ କୃଷକମାନେ ଯେକୌଣସି ସ୍ଥାନରେ ଶସ୍ୟ ବିକ୍ରି କରିପାରିବେ। ତେଣୁ ଏଣିକି ଯେଉଁ କୃଷକ ନିଜର ଶସ୍ୟ ବିକ୍ରି କରିପାରିନଥିବେ ସେମାନଙ୍କୁ ଆମେ ଦିଲ୍ଲୀ ଯାଇ ସଂସଦ ଆଗରେ ଶସ୍ୟ ବିକ୍ରି କରିବାପାଇଁ କହିବୁ। ଟିକାୟତ କହିଛନ୍ତି, ଦୀର୍ଘ ୧୧ ମାସ ଧରି ଆମେ ଦିଲ୍ଲୀ ଯିବାପାଇଁ ଅପେକ୍ଷା କରି ରହିଛୁ। ଆମକୁ ଦିଲ୍ଲୀ ଯିବାକୁ ଅନୁମତି ମିଳୁନଥିଲା। ଏଣିକି ଆମ ଟ୍ରାକ୍ଟର ପ୍ରଥମେ ଦିଲ୍ଲୀ ଯିବ ।

ସମ୍ବନ୍ଧିତ ଖବର