ହଜିଯାଇଥିବା ୧୦୦ ପିଲାଙ୍କୁ ଖୋଜି ସେମାନଙ୍କ ବାପା-ମାଙ୍କ ପାଖକୁ ପଠାଇଲେ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ନିଖୋଜ ଥିବା ୧୦୦ ଜଣ ପିଲାଙ୍କୁ ଖୋଜି ସେମାନଙ୍କ ବାପା-ମା ଙ୍କ ପାଖକୁ ପଠାଇବାକୁ ସମର୍ଥ ହୋଇଛି ଦିଲ୍ଲୀ ପୁଲିସ | ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ମିଶନ ଲଞ୍ଚ କରି ୧୦୦ ପିଲାଙ୍କୁ ସେମାନଙ୍କ ପରିବାର ପାଖକୁ ପଠାଇଦେଇଛି | ଦିଲ୍ଲୀ ପୁଲିସର ଆଣ୍ଟି-ହ୍ୟୁମାନ୍ ଟ୍ରାଫିକିଙ୍ଗ ୟୁନିଟ ଦକ୍ଷିଣ ଦିଲ୍ଲୀର ପ୍ରାୟ ୧୦୦ ପିଲାଙ୍କୁ ଖୋଜିବାରେ ସଫଳତା ପାଇଛି, ଯେଉଁମାନଙ୍କ ମଧ୍ୟରେ ୮୦ଜଣ ପିଲାଙ୍କ ବୟସ ୧୮ ବର୍ଷରୁ କମ୍ ରହିଛି । ଏହି ପିଲାମାନଙ୍କୁ କେବଳ ଦିଲ୍ଲୀ ନୁହେଁ ବିହାର, ଉତ୍ତରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗରୁ ମଧ୍ୟ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ମୁତାବକ ଦିଲ୍ଲୀର ବିଭିନ୍ନ ପୁଲିସ ଷ୍ଟେସନରେ ଏହି ପିଲାମାନେ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା |

ଆଉ ଦିଲ୍ଲୀ ପୁଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ ବର୍ଷେ ଧରି ଏକ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ନିଖୋଜ ପିଲାମାନଙ୍କୁ ଖୋଜି ସେମାନଙ୍କ ପରିବାର ପାଖକୁ ପଠାଇବା ପାଇଁ ମିଶନ ଆରମ୍ଭ ହୋଇଥିଲା | ତେବେ ଏହି ମିଶନକୁ ନେଇ ପୁଲିସ କମିଶନର ନିୟମ କରିଥିଲେ ଯେ ଯେଉଁ ପୁଲିସ କର୍ମଚାରୀ ଅଧିକ ସଂଖ୍ୟକ ପିଲାଙ୍କୁ ଖୋଜି ସେମାନଙ୍କ ପରିବାର ପାଖକୁ ପଠାଇବେ ସେମାନଙ୍କୁ ପଦୋନ୍ନତି ମିଳିବ | ଏହି ନିୟମ ପରେ ଅଧିକାଂଶ ପୁଲିସ କର୍ମଚାରୀ ପଦୋନ୍ନତି ଆଶାରେ କାମରେ ଲାଗିପଡ଼ିଥିଲେ |

ଆଉ ପୁଲିସ କର୍ମଚାରୀଙ୍କ ପ୍ରଚେଷ୍ଟା ସଫଳ ହୋଇଥିଲା | କେବଳ ଦକ୍ଷିଣ ଦିଲ୍ଲୀ ପୁଲିସ ୫୮ ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ସେହିପରି ଉଦ୍ଧାର ହୋଇଥିବା ଅନ୍ୟ ପିଲାମାନଙ୍କ ମଧ୍ୟରେ ହରିୟାଣାର ୬ ଜଣ ପିଲା, ବିହାରର ୬ ଜଣ, ଛତିଶଗଡର ୧ ଜଣ, ଉତ୍ତରପ୍ରଦେଶର ୧୭ ଜଣ, ମଧ୍ୟପ୍ରଦେଶର ୩ ଜଣ ଏବଂ ଝାଡ଼ଖଣ୍ଡର ଜଣେ ଶିଶୁଙ୍କୁ ପୁଲିସ ଉଦ୍ଧାର କରିଥିଲା |

ସମ୍ବନ୍ଧିତ ଖବର