ନୂଆଦିଲ୍ଲୀ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ସଚିନ ବିଷ୍ଣୋଇଙ୍କୁ ଭାରତକୁ ଆଣିବା ପାଇଁ ସୁରକ୍ଷା ଏଜେନ୍ସିର ଟିମ ଆଜେରବୈଜାନ ଯାଇଛନ୍ତି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଟିମ୍ ଆଜି ରାତି ସୁଦ୍ଧା ଆଜେରବୈଜାନରେ ପହଞ୍ଚିବେ । ସ୍ପେଶାଲ ସେଲର ଟିମ ଆଗାମୀ ଦୁଇ ଦିନ ମଧ୍ୟରେ ଆଜେରବୈଜାନରୁ ସଚିନ ବିଷ୍ଣୋଇଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିବେ। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟର ଦୁଇ ଇନ୍ସପେକ୍ଟରଙ୍କ ସମେତ ପ୍ରାୟ ୪ ଜଣ ଅଧିକାରୀଙ୍କ ଏକ ଟିମ୍ ଆଜେରବୈଜାନ ଅଭିମୁଖେ ଯାତ୍ରା କରିଛନ୍ତି। ଉଲ୍ଲେଖ ଥାଉ କି ମେ ୨୯, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲରେନ୍ସ ବିଷ୍ଣୋଇର ଅତି ଘନିଷ୍ଠ ଭାବେ ସଚିନ ହିଁ ଏହି ହତ୍ୟାକାଣ୍ଡ କରାଇଥିଲା |
ସଚିନ ହତ୍ୟାକାଣ୍ଡ ପୂର୍ବରୁ ୨୧ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଭାରତରେ ଥିଲା । ଏହା ପରେ ସେ ଏକ ନକଲି ନାମରେ ପାସପୋର୍ଟ ତିଆରି କରି ଭାରତରୁ ପଳାୟନ କରିଥିଲା । ଅନୁସନ୍ଧାନରୁ ଜଣାପଡିଥିଲା ଯେ ସେ ତା ପାସପୋର୍ଟ ଦିଲ୍ଲୀର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟରୁ କରାଇଥିଲା । ସଚିନ୍ ବିଷ୍ଣୋଇର ନକଲି ପାସପୋର୍ଟ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଏକ ଠିକଣାରେ କରାଯାଇଥିଲା। ଏହି ନକଲି ପାସପୋର୍ଟରେ ସଚିନ ବିଷ୍ଣୋଇର ନକଲି ନାମ ତିଲକ ରାଜ ଟୁଟେଜା ଲେଖାଯାଇଥିଲା। ସଚିନ ବିଷ୍ଣୋଇ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପାଇଁ ପୁରା ଯୋଜନା ପ୍ରସ୍ତୁତ କରିଥିଲା । ସେ ହତ୍ୟାକାଣ୍ଡ ସାମିଲ ଥିବା ସୁଟରମାନଙ୍କ ପାଇଁ ଖାଦ୍ୟ, ଆଶ୍ରୟ, ଟଙ୍କା, ଯାନବାହାନର ବ୍ୟବସ୍ଥା କରିଥିଲା ଏବଂ ପରେ ଏକ ନକଲି ପାସପୋର୍ଟ ସାହାଯ୍ୟରେ ଭାରତର ଏକ ବିମାନ ବନ୍ଦରରୁ ଦୁବାଇକୁ ପଳାୟନ କରିଥିଲା। ପରେ ସେ ଦୁବାଇରୁ ଆଜେରବୈଜାନ ପଳାଇ ଯାଇଥିଲା ।