ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ଷଡଯନ୍ତ୍ର ମାମଲାରେ ଉମର ଖାଲିଦ, ଶରଜିଲ ଇମାମ, ମୀରାନ ହାଇଦର, ଗୁଲଫିସା ଫାତିମା ଓ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ଦିଲ୍ଲୀ ପୁଲିସ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରିଛି। ଭାରତକୁ ଅସ୍ଥିର କରିବା ଏବଂ ବିଶ୍ୱସ୍ତରରେ ଏହାକୁ ବଦନାମ କରିବା ଉଦ୍ଦେଶ୍ୟରେ ଏହା ଏକ ଯୋଜନାବଦ୍ଧ ‘ଶାସନ ପରିବର୍ତ୍ତନ ଷଡ଼୍ଯନ୍ତ୍ର’ର ଅଂଶ ଥିଲା ବୋଲି ପୁଲିସ ଦାବି କରିଛି। ୨୦୨୦ ହିଂସା ସହ ଜଡିତ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ  ସୁପ୍ରିମ୍କୋର୍ଟଙ୍କ ସେପ୍ଟେମ୍ବର ୨୨ ନୋଟିସର ଜବାବରେ ଏହି ସତ୍ୟପାଠ ଦାଖଲ କରାଯାଇଛି।
ପୁଲିସ କହିଛି ଯେ ସେମାନେ ସାକ୍ଷୀଙ୍କ ବିବୃତି, ଦସ୍ତାବିଜ ଓ ବୈଷୟିକ ପ୍ରମାଣ ସଂଗ୍ରହ କରିଛନ୍ତି ଯାହା ଅଭିଯୁକ୍ତଙ୍କୁ ସାମ୍ପ୍ରଦାୟିକ ଭିତ୍ତିରେ ପ୍ରସ୍ତୁତ ଏକ ଗଭୀର ଷଡ୍ଯନ୍ତ୍ର ସହିତ ଯୋଡିଛି। ସତ୍ୟପାଠରେ କୁହାଯାଇଛି ଯେ, ଏଥିରେ ଥିବା ବାର୍ତ୍ତା, ସ୍ୱର ଓ ସନ୍ଦର୍ଭଗୁଡ଼ିକ ଆକସ୍ମିକ ନୁହେଁ ବରଂ ସୁଚିନ୍ତିତ ଥିଲା, ଯାହା ପ୍ରସ୍ତାବିତ ନାଗରିକତା (ସଂଶୋଧନ) ଆଇନ ଅନୁଯାୟୀ ମୁସଲମାନ ସମ୍ପ୍ରଦାୟର ଜାତିଗତ ସଫେଇ କିମ୍ବା ନରସଂହାର ବିଷୟରେ ଏକ ବିଶ୍ୱସ୍ତରୀୟ କାହାଣୀ ସ୍ଥାପନ କରି ଦେଶକୁ ଅସ୍ଥିର କରିବାର ଏକ ପ୍ରମୁଖ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି।
ଦିଲ୍ଲୀ ପୁଲିସ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କର ଭାରତ ଗସ୍ତ ସମୟରେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବା ଏବଂ ଦେଶକୁ ନକାରାତ୍ମକ ଚିତ୍ରଣ କରିବା ଉଦ୍ଦେଶ୍ୟରେ ଏହି ହିଂସା ଘଟାଯାଇଥିଲା। ସିଏଏ ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ନାମରେ ଏକ ଉଗ୍ରବାଦୀ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବା ପାଇଁ ଚୟନ କରାଯାଇଥିଲା। ଅଭିଯୁକ୍ତମାନେ ରାଜନୈତିକ ଅସନ୍ତୋଷ କିମ୍ବା ବ୍ୟକ୍ତିଗତ ଅଭିଯୋଗ ପ୍ରକାଶ କରିବାକୁ ଚାହୁ ନ ଥିଲେ ବରଂ ହିଂସା ସୃଷ୍ଟି କରିବାକୁ ଚାହୁଥିଲେ, ଯାହାର ସିଧାସଳଖ ପ୍ରଭାବ ଦେଶର ଅର୍ଥନୈତିକ ଓ ସାମାଜିକ ଢାଞ୍ଚା ଉପରେ ପଡ଼ିଛି। ଦିଲ୍ଲୀ ପୁଲିସ ଅଭିଯୋଗ କରିଛି ଯେ, ଉମର ଖାଲିଦ, ଶର୍ଜିଲ ଇମାମ, ମୀରାନ ହାଇଦର ଓ ଗୁଲଫିଶା ଫାତିମାଙ୍କ ସମେତ ଆବେଦନକାରୀମାନେ ଶୁଣାଣି ପ୍ରକ୍ରିୟାରେ ବିଳମ୍ବ କରିବା ପାଇଁ ବ୍ୟବସ୍ଥିତ ଢଙ୍ଗରେ ଉଦ୍ୟମ କରିଥିଲେ। ନିମ୍ନ ଅଦାଲତକୁ ଅଭିଯୋଗ ପ୍ରସ୍ତୁତ କରିବା ଏବଂ ଶୁଣାଣି ଆରମ୍ଭ କରିବାରୁ ରୋକିବା ପାଇଁ ଅଭିଯୁକ୍ତମାନେ ପ୍ରକ୍ରିୟାର ଅପବ୍ୟବହାର କରିଥିଲେ। ପୁଲିସ ଯୁକ୍ତି କରିଛି ଯେ ପ୍ରକ୍ରିୟାରେ ବିଳମ୍ବ ପାଇଁ ଅଭିଯୁକ୍ତମାନେ ଦାୟୀ, ଅନୁସନ୍ଧାନକାରୀ ସଂସ୍ଥା ନୁହେଁ।
‘ଜାମିନ ନୁହେଁ, ଜେଲ୍ ହେଉଛି ନିୟମ’
ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଲାଗୁ କରି ଦିଲ୍ଲୀ ପୁଲିସ କହିଛି ଯେ, ଏଭଳି ଗୁରୁତର ଆତଙ୍କବାଦ ସହ ଜଡିତ ଅପରାଧ ପାଇଁ ‘ଜାମିନ ନୁହେଁ, ଜେଲ୍ ହେଉଛି ନିୟମ’। ଏହି ଷଡ୍ଯନ୍ତ୍ରରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/untitled-1-2025-10-31-06-34-28.jpg)
