ନୂଆଦିଲ୍ଲୀ: କଥାରେ ଅଛି ଜନତା ଚାହିଁଲେ ସବୁ ସମ୍ଭବ । ଗଣତନ୍ତ୍ରରେ ଲୋକ ହେଉଛନ୍ତି ସବୁକିଛି । ଲୋକଶକ୍ତି ଆଗରେ ବାକି ସବୁ ଶକ୍ତି ଫିକା । ତେଣୁ ଲୋକ ଯଦି ଚାହିଁବେ ଗୋଟେ ସରକାରକୁ ବଦଳେଇଦେବେ । ଆଉ ନୂଆ ସରକାର ବି ଗଢିଦେବେ । ଏଇ ଯେମିତି ଦିଲ୍ଲୀରେ... ଲୋକ ଚାହିଁଲେ ବୋଲି ତ ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବାକୁ ସକ୍ଷମ ହୋଇଛି ବିଜେପି ଆଉ ମାଟି କାମୁଡି ପଡିଛି ୧୨ ବର୍ଷର ଆପ୍ ସରକାର ।
ଜନଶକ୍ତି ଗୋଟେ ଦଳ ହାତରୁ କ୍ଷମତା ଛଡାଇ ନେଇ ଅନ୍ୟ ଏକ ଦଳକୁ ଦେଇଛନ୍ତି । ଦିଲ୍ଲୀବାସୀ ୧୫ ବର୍ଷ କଂଗ୍ରେସକୁ କ୍ଷମତା ଦେଇଥିଲେ, ପରେ ଆମ୍ ଆଦମୀ ପାର୍ଟିକୁ ୧୨ ବର୍ଷ ଏବଂ ଏବେ ବିଜେପିକୁ ଆଗାମୀ ୫ ବର୍ଷ ପାଇଁ ଶାସନ ଭାର ଦେଇଛନ୍ତି । ତେଣୁ ନା ବିଜେପି, ନା କଂଗ୍ରେସ ନା ଆପ୍ ନା ଅନ୍ୟ କୌଣସି ଦଳ... କେହି ବି ଲୋକଶକ୍ତି ଠାରୁ ବଡ ନୁହଁନ୍ତି । ଏମିତି କି ବଡ ବଡ ନେତା ବି ସରକାର ଗଠନରେ ଏତେ ବଡ ଭୂମିକା ନିଅନ୍ତିନି ଯାହା ଲୋକଙ୍କ ହାତରେ ଥାଏ । ଲୋକଙ୍କ ଆଶୀର୍ବାଦ ଯିଏ ପାଇଲା ସିଏ ଜିତିଲା, ଯିଏ ନପାଇଲା ସିଏ ପସ୍ତେଇଲା । ତେଣୁ ଲୋକ ହିଁ ସବୁକିଛି...
ଦିଲ୍ଲୀ ନିର୍ବାଚନରେ ବିଜେପିକୁ ବହୁମତ ମିଳିଥିବା ବେଳେ ୪୮ ଆସନ ଜିତି ସରକାର ଗଢିବାକୁ ସକ୍ଷମ ହୋଇଛି ବିଜେପି । ସେପଟେ ଆପ୍ ୨୨ ଆସନ ଜିତି ହାଟ୍ରିକ୍ ସରକାର ଗଢିବା ସ୍ବପ୍ନଠୁ ଦୂରେଇ ରହିଛି ଆଉ କଂଗ୍ରେସ ଗୋଟେ ବି ଖାତା ଖୋଲି ପାରିନି ।
ଖାଲି ଦିଲ୍ଲୀ ନୁହେଁ ଭାରତର ବିଭିନ୍ନ ରାଜ୍ୟରେ ଲୋକଙ୍କ ଶକ୍ତି ହିଁ ସରକାର ବଦଳାଇଦିଏ । ଜନତାଙ୍କ ରାୟ ଆଗରେ ସବୁ କିଛି ଫେଲ୍ ମାରେ । କାମ କରେନି କଳ ବଳ କୌଶଳ । ଏଇ ଯେମିତି ୨୦୨୪ରେ ଓଡିଶାରେ ବଦଳିଗଲା ୨୪ ବର୍ଷର ସରକାର । ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ହାତରେ ଶାସନ ଭାର ଥିବା ବେଳେ ବିଜେପିକୁ ଏଥର ଭରସିଥିଲେ ଲୋକେ । ଆଉ ବିଜେଡି ହାତରୁ ଶାସନ କ୍ଷମତା ଛଡାଇ ବିଜେପିକୁ ଦେଇଥିଲେ । ତେଣୁ ଦିଲ୍ଲୀ ହେଉ କି ଓଡିଶା- ସବୁଠି ସରକାର ଗଢିବାକୁ ଜନତା ହିଁ ଭରସା ।